ସ୍କୁଟରରେ ଆସିଲେ ଆଶିଷ ମିଶ୍ରା, ଡ୍ରାଇଭର ସାଜିଲେ ବିଜେପି ବିଧାୟକ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରା  । ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରିବା ଅଭିଯୋଗର ମୁଖ୍ୟ କାର୍ପଟଦାର  । ଶୁକ୍ରବାର କ୍ରାଇମବ୍ରାଞ୍ଚର ନୋଟିସ ପରେ ଶନିବାର ହାଜର ହୋଇଛନ୍ତି  । ଚାଷୀଙ୍କୁ ହତ୍ୟା କରିଥିବାନେଇ ଗୋଟେପଟେ ସମଗ୍ର ଦେଶରେ ଆନ୍ଦୋଳନର ନିଆଁ କୁହୁଳୁଛି  । ଅନ୍ୟପଟେ ପୋଲିସ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ପୁଅକୁ ଗିରଫ କରୁନାହିଁ, ସେନେଇ ମଧ୍ୟ ୟୁପି ପୋଲିସ ଉପରେ ପ୍ରଶ୍ନର ପାହାଡ଼ ଠିଆ ହୋଇଛି  । ଏହାରି ଭିତରେ ଆଜି ଖେରିର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବା ନେଇ ନୋଟିସ ଜାରି କରାଯାଇଥିଲା  । ସମୟସର ମହଲତ ଥିଲା ଦିନ ୧୧ଟା  । ସକାଳୁ ଗଣମାଧ୍ୟମର ଗହଳି  । ଚାରିଆଡେ ଛାଇ ଯାଇଛି କ୍ୟାମେରା  । ସମସ୍ତଙ୍କ ନଜର ଥାଏ କେତେବେଳେ କାର୍ଯ୍ୟାଳୟରେ ହାଜିର ହେବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା  ।

ଘଣ୍ଟାରେ ସମୟ ୧୦.୩୮ ବାଜିଥାଏ  । କ୍ରାଇମବ୍ରାଞ୍ଚ ଅଫିସ ମଧ୍ୟକୁ ପ୍ରବେଶ କରେ ଏକ ସ୍କୁଟର  । ସ୍କୁଟରରେ ଥାଆନ୍ତି ଦୁଇ ଜଣ ବ୍ୟକ୍ତି  । ଉଭୟେ ସମାନ ରଙ୍ଗର ପୋଷାକ ପରିଧାନ କରିଥାନ୍ତି  । ଅର୍ଥାତ ଦୁଇ ଜଣ ବ୍ୟକ୍ତି ଧଳା ରଙ୍ଗର କୁର୍ତ୍ତି ପାଇଜାମା ପିନ୍ଧିଥାନ୍ତି  । ଏବଂ ଠିକ ଏତିକି ବେଳେ ହଲଚଲ ହୋଇଯାଇଥିଲା କ୍ରାଇମବ୍ରାଞ୍ଚ ଅଫିସ ପରିସର  । ଚଳଞ୍ଚଚଳ ହୋଇଯାଇଥିଲେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି  । ସମସ୍ତଙ୍କ କ୍ୟାମେରାର ଲେନ୍ସ ଥାଏ ଜଣଙ୍କୁ ଉପରକୁ  । ସେହି ବ୍ୟକ୍ତି ଜଣଙ୍କ ହିଁ ସ୍କୁଟରର ପଛ ସିଟରେ ବସିଥାନ୍ତି  । ଆଗରେ ଡ୍ରାଇଭିଂ କରୁଥିବା ବ୍ୟକ୍ତି ଜଣଙ୍କ ପରିଚୟ ମଧ୍ୟ ସମସ୍ତକୁ ଚକିତ କଲାଭଳି ।

ଯେଉଁ ସ୍କୁଟରଟି ୧୦.୩୮ ମିନିଚରେ କ୍ରାଇମବ୍ରାଞ୍ଚ ଅଫିସ ମଧ୍ୟକୁ ପ୍ରବେଶ କରିଥିଲା, ସେହି ସ୍କୁଟରରେ ବସିଥାନ୍ତି ଲଖିମପୁର ଖେରୀ ଛାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରା  । ଏବଂ ସ୍କୁଟର ଚଳାଉଥିବା ବ୍ୟକ୍ତି ଜଣଙ୍କ ଥିଲେ ଖେରୀ ସଦର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ  ଯୋଗେଶ ବର୍ମା  । ଚତୁର୍ପାଶ୍ୱରେ କଡ଼ା ସୁରକ୍ଷା ବଳୟର ପ୍ରହରା ଦେଉଥାଏ ପୋଲିସ  । ସମସ୍ତଙ୍କ ଆଶା ଥିଲା ନିଶ୍ଚେ ପୋଲିସର ସୁରକ୍ଷ ମଧ୍ୟରେ କାରରେ ଆସିବେ ଅଭିଯୁକ୍ତ କୁହାଯାଉଥିବା ଆଶିଷ  । କିନ୍ତୁ ଆଶିଷଙ୍କ ଏଣ୍ଟ୍ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଥିଲା  । କାରଣ ଯେଉଁ ଘଟଣା ପାଇଁ ସମଗ୍ର ଦେଶରେ ଆନ୍ଦୋଳନ ଜାରି ରହିଛି  । ଯେଉଁ ବ୍ୟକ୍ତି ପାଇଁ ହିଂସାରେ ପାଖାପାଖି ୧୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି  । ଏବଂ ଯେଉଁ ବ୍ୟକ୍ତି ପାଇଁ ଶାସନରେ ଥିବା ବିଜେପି ଏବେ କାଠଗଡ଼ାରେ  । ସେହି ବ୍ୟକ୍ତି ଏମିତି କେମିତି ଆସିପାରିଲେ  । ପୁଣି ତାଙ୍କୁ ଜଣେ ବିଧାୟକ ପଛରେ ବସାଇ ଆଣିବା ଘଟଣାକୁ ଆହୁରି ରୋଚକ କରିପକାଇଛି  ।

ସେପଟେ ଶନିବାର କ୍ରାଇମବ୍ରାଞ୍ଚରେ ହାଜର ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ୟୁପି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ  । ପୂର୍ବରୁ ଏହି ଘଟଣାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଯୁପି ସରକାରକୁ ରିପୋର୍ଟ ଦେବାକୁ ନୋଟିସ ଜାରି କରିଛନ୍ତି  । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଆଶିଷ ମିଶ୍ରଙ୍କୁ ଗୋଟେଦିନ ପୂର୍ବରୁ ହାଜର ହେବାନେଇ ସମନ ଜାରି କରିଥିଲାବେଳେ ଅନୁପସ୍ଥିତ ରହିଥିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ  । ପରବର୍ତ୍ତୀ ସମୟରେ ପୁଣି ଥରେ ସାନି ତାରିଖରେ ହାଜର ହେବା ନେଇ ମଧ୍ୟ ଆଶିଷଙ୍କ ଘରେ ନୋଟିସ ଲଟକା ଯାଇଥିଲା  ।  ଶେଷରେ ଶନିବାର ୧୦.୩୮ରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର । ଆଉ ଏପର୍ଯ୍ୟନ୍ତ ମଧ୍ୟ ପଚରା ଉଚରା ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍  ।

 

Leave a Reply