ସିବିଆଇ ଓ ଇଡି ନାଁରେ ଧମକାଉଛନ୍ତି କେନ୍ଦ୍ରମନ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ: କହୁ କହୁ ସତ କହି ସିବିଆଇ ଓ ଇଡିର ମୁଖପାତ୍ର ଭାବେ ନିଜକୁ ସଜାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଆଉ ପଦାରେ ପଡ଼ିଲା କେନ୍ଦ୍ରର ହୀନ ଚକ୍ରାନ୍ତ । ଦେଶର ଅଣବିଜେପି ଶାସିତ ରାଜ୍ୟ ଓ ରାଜନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଅସଲ ମୁଖା ଖୋଲି ଦେଇଛନ୍ତି ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଓଡ଼ିଶା ଦଖଲ ପାଇଁ ସିବିଆଇ ଓ ଇଡିକୁ ବିଜେପି କିପରି ଅସ୍ତ୍ର କରିବ, ତାହା ସ୍ପଷ୍ଟ କରିଛନ୍ତି। ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ରାଜନୈତିକ ଅସ୍ତ୍ର କରି ସଂଘୀୟ ବ୍ୟବସ୍ଥାକୁ ତଳିତଳାନ୍ତ କରୁଥିବା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଭିନ୍ନ ରାଜନୈତିକ ଦଳ।

କିପରି ସିବିଆଇ ଓ ଇଡି ରେଡ୍ ନାଁରେ ଧମକାଇବା ଆରମ୍ଭ କଲେଣି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ଶାସନ କରିବାର ଶେଷ ଫଣ୍ଡାକୁ ଆପଣାଇବ ବିଜେପି । କେମିତି ସିବିଆଇ ଓ ଇଡିକୁ ବ୍ୟବହାର କରି ଓଡ଼ିଶା ଦଖଲ କରାଯିବ, ତାକୁ ସ୍ପଷ୍ଟ କରିଛନ୍ତି ବିଶ୍ବେଶ୍ବର । ଯେଉଁଥି ପାଇଁ ବିବାଦୀୟ ବିଶ୍ବେଶ୍ବର ପୁଣି ଚର୍ଚ୍ଚାରେ । ୨୦୧୯ ନିର୍ବାଚନ ପୂ୍ର୍ବରୁ ଘନ ଘନ ସିବିଆଇ ଓ ଇଡି ରେଡ୍ ହେଉଥିଲା ଓଡ଼ିଶାରେ । ହେଲେ ଜନମତ ପୁଣି ଯାଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାତାକୁ । ଆଉ ଏବେ ପୁଣି ସିବିଆଇ ଓ ଇଡି ରେଡ୍ ଆରମ୍ଭ ହେଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ।

କାରଣ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଖୋଦ୍ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଖୋଲାଖୋଲି କହୁଛନ୍ତି । କିଛି ବର୍ଷ ତଳେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ ବିଶ୍ବେଶ୍ବରଙ୍କ ପରି ସିବିଆଇ ଓ ଇଡିକୁ ବ୍ୟବହାର କଥା ସ୍ବୀକାର କରିଥିଲେ । ଅନ୍ୟପଟେ କେଉଁଠି ଆମ୍ ଆଦମି ପାର୍ଟି ତ ଆଉ କେଉଁଠି କଂଗ୍ରେସ ନେତା ଆସୁଛନ୍ତି ସିବିଆଇ ଓ ଇଡି ସ୍କାନରରେ । ହେଲେ ଓଡ଼ିଶାରେ ଶାସନ ପାଇଁ ଏପରି ହୀନ କାମ କରିବ ନାହିଁ ବୋଲି କଂଗ୍ରେସ ମତ ପ୍ରକାଶ କରିଛି ।

ଅଫିସରଙ୍କୁ ଧମକାଇବା ହେଉ ବା ଖରାପ୍ ବ୍ୟବହାର, ସବୁ ସମୟରେ ବିବାଦକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏବେ ସିବିଆଇ ଓ ଇଡି ନାଁରେ ବି ଧମକାଇବାକୁ ପଛାଉ ନାହାନ୍ତି କେନ୍ଦ୍ରମନ୍ତ୍ରୀ । ଲୋକଶକ୍ତି ଆଗରେ ସିବିଆଇ ଓ ଇଡିର ଅପବ୍ୟବହାର ଯୋଗୁ ବିଜେପି ଜନ ଆକ୍ରୋଶର ଶୀକାର ହେବ ବୋଲି ବିଜେଡି ଅନୁଭବ କରିଛି । ରାଜ୍ୟର ଉନ୍ନତି କଥା ଚିନ୍ତା ନ କରି ସିବିଆଇ ଓ ଇଡିର ମୁଖପାତ୍ର ସାଜିଥିବାରୁ ବିଶ୍ବେଶ୍ବରଙ୍କୁ କଟାକ୍ଷ କରାଯାଇଛି ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ସଂପୂର୍ଣ୍ଣ ଭାବେ ବିଜେପି ଓ କଂଗ୍ରେସ ବରୋଧରେ ଯାଇଛି । ଆଉ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ମୟୂରଭଞ୍ଜରେ ଭଲ ପ୍ରଦର୍ଶନ କରିଥିଲା ବିଜେପି, ସେହି ଗଡ଼ ଏବେ ଭୁଶୁଡ଼ିବାରେ ଲାଗିଲାଣି । ଏପରି ସ୍ଥିତିରେ ନିଜ ଆସନ କିପରି ସୁରକ୍ଷିତ ରହିବ, ସେଥି ପାଇଁ ରାଜନୀତିର ତଳସ୍ତରକୁ ଖସି ଯିବେ, ତାହା ବିଶ୍ବେଶ୍ବରଙ୍କ ଆଚରଣ ଓ ଉଚାରଣରୁ ବାରି ହେଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ।