କାର ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୁରୁତର, ପତ୍ନୀଙ୍କ ଦେହାନ୍ତ

ବେଙ୍ଗାଲୁର: ଦୁର୍ଘଟଣାଗ୍ରସ୍ତ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ କାର । ଫଳରେ କେନ୍ଦ୍ରୀୟମନ୍ତ୍ରୀ ଶ୍ରୀପଦ ନାୟକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ ଦୁର୍ଘଟଣାରେ ଜଣେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଏଭଳି ଦୟନୀୟ ଦୁର୍ଘଟଣା ଘଟିଛି । ଶ୍ରୀପଦ ନାୟକଙ୍କ ଗାଡିରେ ୬ଜଣ ବ୍ୟକ୍ତି ରହିଥିବା ଜଣାପଡିଛି । ଘଟଣାଟି ଏତେ ମର୍ମନ୍ତୁଦ ରହିଥିଲା ଯେ, ଦୁର୍ଘଟଣା ପରେ ଚେତାଶୂନ୍ୟ ହୋଇପଡିଥିଲେ ସମସ୍ତ ଯାତ୍ରୀ । କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ତାଙ୍କ ପତ୍ନୀଙ୍କର ମଧ୍ୟ ଚେତା ଫେରିନଥିଲା ।

ସେପଟେ ମେଡିକାଲରେ ଭର୍ତ୍ତିହେବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀ ବିଜୟା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଚିକିତ୍ସା ଜାରି ରହିଛି । ଉନ୍ନତ ଚିକିତ୍ସା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଗୋଆ ପଠାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଫୋନ ଯୋଗେ କଥା ହୋଇଛନ୍ତି ।

Leave a Reply