୨୦୨୧ କେନ୍ଦ୍ରୀୟ ବଜେଟରେ ୫ ପରିବର୍ତ୍ତନ କଣ ?
ଫେବ୍ରୁଆର ୧ରେ ଆସିବ କେନ୍ଦ୍ରୀୟ ବଜେଟ୍ । ୨୦୨୧ ବର୍ଷ ଲାଗି ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମାରୀ କୋଭିଡ୍ ପାଇଁ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁ ଥିବାବେଳେ ଅଭିଭୃଦ୍ଧି ହାର ଲଗାତାର ହ୍ରାସ୍ ପାଇଛି । ଏଭଳି ସ୍ଥିତିରେ ଚଳିତବର୍ଷ ବଜେଟ୍ ଗତବର୍ଷ ବଜେଟ ଠାରୁ ବେଶ୍ ଭିନ୍ନ ରହିବ ।
ବଜେଟ୍ ହେବ ପେପରଲେସ୍
ସ୍ୱାଧୀନତା ପରେ ପ୍ରଥମ ଥର । ବଜେଟ୍ ଆସିବ, ବିନା କାଗଜରେ । ମହାମାରୀ କରୋନା ପାଇଁ ପ୍ରଥମଥର କେନ୍ଦ୍ରୀୟ ବଜେଟ୍ ମୁଦ୍ରିତ ହେବ ନାହିଁ । ପ୍ରତିବର୍ଷ କେନ୍ଦ୍ରୀୟ ବଜେଟ୍ ଅର୍ଥ ମନ୍ତ୍ରାଳୟର ନିଜସ୍ୱ ମୁଦ୍ରଣାଳୟରେ ୧୦୦ କର୍ମଚାରୀଙ୍କୁ ନେଇ ମୁଦ୍ରିତ ହୋଇଥାଏ । ଯେଉଁଠି ୧୫ ଦିନ ପାଇଁ ଶତାଧିକ କର୍ମଚାରୀ ଏକାଠି ବଜେଟ୍ ମୁଦ୍ରଣ, ସିଲ୍ ଓ ବିତରଣରେ ସାମିଲ୍ ଥାଆନ୍ତି । ତେବେ, ଚଳିତଥର କରୋନା ପାଇଁ ହାର୍ଡ କପି ବଦଳରେ ସଫ୍ଟ କପି ଦିଆଯିବ ।
୨ଟି ପର୍ଯ୍ୟାୟରେ ଅଧିବେଶନ
କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ବଜେଟର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୫ ଯାଏ ବସିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୮ରୁ ଏପ୍ରିଲ୍ ୮ ଯାଏ ବସିବ ।
ହେବନି ହାଲୁଆ ଉତ୍ସବ
ପ୍ରତିଥର କେନ୍ଦ୍ରୀୟ ବଜେଟ୍ ମୁଦ୍ରଣ ପୂର୍ବରୁ ପାରମ୍ପାରିକ ଭାବେ ହୋଇ ଆସୁଥିବା ହାଲୁଆ ଉତ୍ସବ ଚଳିତଥର ହେବନାହିଁ । ହାଲୁଆ ଉତ୍ସବରେ ସାଧାରଣତଃ ବଜେଟ୍ ମୁଦ୍ରଣରେ ନିୟୋଜିତ କର୍ମଚାରୀ ସାମିଲ୍ ହୋଇଥାନ୍ତି । ହାଲୁଆ ଉତ୍ସବରୁ ଆରମ୍ଭ ହୁଏ ବଜେଟ୍ ପ୍ରିଣ୍ଟିଂ । ଏକ ବଡ଼ କଡ଼େଇରେ ଏହି ମିଠା ହାଲୁଆ ତିଆରି କରାଯାଇ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।
ଟ୍ରକରେ ଆସିବନି ବଜେଟ୍
ଏଥରକ ବଜେଟ୍ ପୂରା ପେପରଲେସ୍ ହେବ । ତେଣୁ, ପୂର୍ବ ବର୍ଷ ଭଳି ସଂସଦ ପରିସରକୁ ବଜେଟ୍ କପି ଭର୍ତ୍ତି ଟ୍ରକ୍ ଆସିବ ନାହିଁ । ସାଧାରଣତଃ ବହିଖାତା କୁହାଯାଉଥିବା ବଜେଟ୍ କପି କାହାରି ହାତରେ ଦେଖିବାକୁ ମିଳିବ ନାହିଁ । ଗତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚମଡ଼ା ବ୍ରିଫକେସ୍ ବଦଳରେ ପାରମ୍ପାରିକ ବହିଖାତାକୁ ନେଇ ବଜେଟ୍ ଉପସ୍ଥାପନ କରିଥିଲେ ।
କୋଭିଡ୍ କଟକଣା ବଳବତ୍ତର ଥିବାବେଳେ ଚଳିତ ଅଧିବେଶନରେ ଶାରିରୀକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସଂସଦର ସମସ୍ତ ସଭ୍ୟ ଅଧିବେଶନ ବେଳେ ୩ଟି ଅଲଗା ଅଲଗା ସ୍ଥାନରେ ବସିବେ । ରାଜ୍ୟସଭା ଚାମ୍ବର, ଲୋକସଭା ଚାମ୍ବର ସହ କେନ୍ଦ୍ରୀୟ ହଲରେ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ହଲରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧିତ କରିବେ ।