ୟୁନିଫାଏଡ୍ ପେନସନ୍ ସ୍କିମରେ ଆରମ୍ଭରୁ କେଁ, କେନ୍ଦ୍ର ସରକାର ଘୋଷଣା କରୁ କରୁ ଏହାକୁ ବିରୋଧ !

1 min read

ଭୁବନେଶ୍ବର : ଓପିଏସ୍ କି ଏନପିଏସ୍ ନୁହେଁ, ଏଣିକି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଲାଗୁ ହେବ, ୟୁନିଫାଏଡ୍ ପେନସନ୍ ସ୍କିମ୍, ୟୁପିଏସ୍। କେନ୍ଦ୍ର କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୨୦୨୫ ଏପ୍ରିଲ ମାସରୁ ଏହା ଲାଗୁ କରିବାକୁ ଯୋଜନା ହୋଇଛି। ହେଲେ ଏହାକୁ ରାଜ୍ୟ ସରକାରଙ୍କ କର୍ମଚାରୀ ଘୋର ବିରୋଧ କରିଛନ୍ତି। ୟୁନିଫାଏଡ଼୍ ପେନସନ୍ ସ୍କିମରେ ଅନେକ ଦ୍ଵନ୍ଦ୍ଵ ଥିବାରୁ ଏହାକୁ ଗ୍ରହଣ କରିବାକୁ ନାରାଜ ରାଜ୍ୟ କର୍ମଚାରୀ ସଂଘ। ନୂଆ ସ୍କିମରେ ସର୍ବନିମ୍ନ ୧୦ବର୍ଷ ଚାକିରି କରିଥିଲେ ମିଳିବ ୧୦ ହଜାର ଟଙ୍କାର ପେନସନ୍, ପୁରା ପେନସନ୍ ପାଇବାକୁ ୨୫ ବର୍ଷ ଚାକିରି କରିଥିବା ଜରୁରୀ। ପୁଣି ଜିପିଏଫ ଜମା ରାଶିରେ ମିଳିବ ନାହିଁ ସୁଧ। ଅବସର ପୂର୍ବରୁ ୧୨ ମାସର ବେସିକ ହାରାହାରିର ୫୦ ପ୍ରତିଶତ ପେନସନ୍ ମିଳିବ। ଓଡ଼ିଶାରେ ଅନୁଦାନପ୍ରାପ୍ତ ପଦବୀରେ ଠିକା ଭାବେ କାମ କରି ୬ବର୍ଷ ପରେ ସ୍ଥାୟୀ ହୋଇଥିବା କର୍ମଚାରୀଙ୍କ ପାଇଁ ସମସ୍ୟା ଦ୍ବିଗୁଣିତ ହେବ। ଏହି ୬ ବର୍ଷ ସେମାନଙ୍କ ଚାକିରି ଅବଧିରେ ଗଣାଯାଉନଥିବାରୁ ୨୫ବର୍ଷର ଚାକିରି ପରେ ପୁରା ପେନସନ୍ ନିୟମରେ ଏମାନେ ବଳି ପଡ଼ିବେ। ଏସବୁ ଦୃଷ୍ଟିକୋଣରୁ ୟୁନିଫାଏଡ଼୍ ପେନସନ୍ ସ୍କିମକୁ ବିରୋଧ କରିବା ସହ ପୁରୁଣା ପେନସନ୍ ସ୍କିମକୁ ଅବିକଳ ଲାଗୁ କରିବାକୁ କର୍ମଚାରୀ ସଂଘ ଦାବି କରିଛି।

୨୦୦୪ ପରେ ସରକାରୀ ଚାକିରିଆଙ୍କ ପାଇଁ ନୂଆ ପେନସନ୍ ବ୍ୟବସ୍ଥା ହୋଇଛି। ଏଥିରେ କର୍ମଚାରୀମାନେ ମାସକୁ ମାସ ନିଜ ଦରମାର କିଛି ଅଂଶ ଦେଉଛନ୍ତି। ସେଥିରେ ସରକାରଙ୍କ ଅନୁଦାନ ମିଶି ଏକ ଫଣ୍ଡ ହୋଇଛି। ଅବସର ପରେ ସେହି ଜମା ରାଶିରୁ ପେନସନ ମିଳିବାର ହୋଇଛି ବ୍ଯବସ୍ଥା । ହେଲେ ରାଜ୍ୟ ହେଉ କି କେନ୍ଦ୍ର ସରକାରଙ୍କ କର୍ମଚାରୀ, ସେମାନେ ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ଦାବି କରିଆସୁଛନ୍ତି। ପୁରୁଣା ପେନସନ୍ ସ୍କିମରେ ଅବସର ବେଳେ ଯାହା ଦରମା ଥିବ, ତାର ଅଧା ପେନସନ୍ ଆକାରରେ କର୍ମଚାରୀଙ୍କୁ ମିଳୁଥିଲା। କେନ୍ଦ୍ର କ୍ୟାବିନେଟ ଏବେ ଏଥିପାଇଁ ନୂଆ ଯୋଜନା ୟୁପିଏସ୍ ଆଣିବା ପରେ ଏହାକୁ ସ୍ବାଭାବିକ ଭାବେ ବିରୋଧ କରିଛନ୍ତି ଏନପିଏସ୍ କର୍ମଚାରୀ। ଓଡ଼ିଶା ସରକାର ପୁରୁଣା ପେନସନ୍ ସ୍କିମ ଲାଗୁ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ।

ଫାଭିଓ-ଅବସର ପରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀ କେତେ ପେନସନ୍ ପାଇବେ, ସେ ନେଇ ବି ୟୁନିଫାଏଡ଼୍ ପେନସନ୍ ସ୍କିମରେ ସ୍ପଷ୍ଟତା ନାହିଁ। ବଜାର ଦର ବୃଦ୍ଧି ଅନୁସାରେ ମହଙ୍ଗା ଭତ୍ତା ପେନସନ୍ ଧାରୀଙ୍କୁ ମିଳିବ କି ନାହିଁ, ତାର ବି କୌଣସି ନିର୍ଦ୍ଧିଷ୍ଟ ସୂଚନା ନଥିବାରୁ ରାଜ୍ୟ କର୍ମଚାରୀ ଏହାକୁ ତୀବ୍ର ବିରୋଧ କରିବା ସହ ଅବିକଳ ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ଦାବି କରିଛନ୍ତି।