ସାନିଟାଇଜ୍ ନାଁରେ ଲୁଟିନେଲେ ୮ ଲକ୍ଷ ଟଙ୍କା

1 min read

ଚେନ୍ନାଇ: କରୋନା ସହ ଲଢ଼ୁଛି ଦେଶ । ସାନିଟାଇଜେସନ୍ ବା ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହର ଚେନ୍ନାଇରେ ବିଶୋଧନ କରିବାକୁ ଆସିଥିବା ଅପରିଚିତ ବ୍ୟକ୍ତି ବଡ଼ ଧରଣର ଲୁଟ୍ କରିଛନ୍ତି । ଏକ ଘରୋଇ ବ୍ୟାଙ୍କର ଏଟିଏମରେ ବିଶୋଧକ ସିଞ୍ଚନ କରିବାକୁ ଯାଇ ଲୁଟି ନେଇଛନ୍ତି ୮ ଲକ୍ଷରୁ ଅଧିକ ଟଙ୍କା ।

ଅପରିଚିତ ବ୍ୟକ୍ତି ଜଣକ ଏକ ଅଟୋରିକ୍ସାରେ ବ୍ୟାଗ ଓ ସ୍ପ୍ରେ ଟ୍ୟୁବ୍ ଧରି ଏଟିଏମରେ ପହଞ୍ଚିଥିଲେ ।ଏଟିଏମରେ ନିୟୋଜିତ ୬୫ ବର୍ଷୀୟ ସୁରକ୍ଷାକର୍ମୀଙ୍କୁ କହିଥିଲେ ସେ MMDAରୁ ଆସିଛନ୍ତି । ମହାନଗର ନିଗମ ପକ୍ଷରୁ ଏଟିଏମକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ରହିଛି । ଏହାପରେ ଚୋର ଜଣକ ଏଟିଏମ ଭିତରକୁ ଯାଇଥିବା ବେଳେ ସୁରକ୍ଷାକର୍ମୀ ଦୂରରୁ ଥାଇ ନିରୀକ୍ଷଣ କରୁଥିଲେ ।

ଜଣେ ଗ୍ରାହକ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିବା ବେଳେ ସନ୍ଦିଗ୍ଧ ଜଣଙ୍କ କରେନ୍ସି ଚେଷ୍ଟର ପାସୱାର୍ଡ ଦେଉଥିଲେ । ପଚାରିବାରୁ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇଥିଲେ । ଗ୍ରାହକ ଜଣଙ୍କ ବାହାରକୁ ଆସି ପୋଲିସକୁ ସୂଚନା ଦେଇଥିଲେ ।

୧୦ ମିନିଟ୍ ଭିତରେ ଅପରିଚିତ ବ୍ୟକ୍ତି ଜଣଙ୍କ ବ୍ୟାଗ୍ ସହ ବାହାରକୁ ଆସିଥିଲେ । ଅପେକ୍ଷା କରିଥିବା ଅଟୋ ନିକଟରୁ ଦୌଡ଼ିଥିଲେ । ଗ୍ରାହକ ଜଣକ ସୁରକ୍ଷାକର୍ମୀଙ୍କୁ ଜଣାଇବା ସହ ସନ୍ଦିଗ୍ଧଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତଥାପି କୌଶଳକ୍ରମେ ଖସି ଯାଇଥିଲା ଚୋର ଜଣକ ।

ପରେ ବ୍ୟାଙ୍କ ମ୍ୟାନେଜର ଆସି ଦେଖିବା ପରେ ଏଟିଏମରେ ଥିବା ୮ ଲକ୍ଷ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା । ଏନେଇ ମଦୁରାଭୋୟାଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି । ତେବେ, ଚୋର ଜଣଙ୍କ କରେନ୍ସି ଚେଷ୍ଟର ଚାବି ଓ ଠିକ୍ ପାସୱାର୍ଡରେ ଲୁଟ୍ କରିଥିବାରୁ ଏହା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତଥିବା ସନ୍ଦେହ କରାଯାଉଛି ।

Leave a Reply