ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର, ଅପରିଷ୍କାର ପରିବେଶ ପାଇଁ ବଢୁଛି ଅସନ୍ତୋଷ

ବୁର୍ଲା: କ୍ୟାଣ୍ଟିନ ଭିତରେ କୁକୁର । ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର । ଏଥର କିନ୍ତୁ ଚିକିତ୍ସା ଅବହେଳା ନୁହେଁ ବରଂ ଭୀମସାର ପରିସରରେ ଥିବା ଓମଫେଡ କ୍ୟାଣ୍ଟିନ ପାଇଁ ଚର୍ଚ୍ଚାକୁ ଆସିଛି ଭୀମସାର । ରୋଗୀ ତାଙ୍କ ସମ୍ପର୍କୀୟ ହୁଅନ୍ତୁ କି ଡାକ୍ତର ନର୍ସ ଷ୍ଟାଫ୍‌ ପାଣି ଗରମ କରିବା ହେଉ କି ଚା ଜଳଖିଆ ପାଇଁ ଏହି କ୍ୟାଣ୍ଟିନ ଉପରେ ସମସ୍ତେ ନିର୍ଭରଶୀଳ । ହେଲେ କ୍ୟାଣ୍ଟିନ ସେବା ଯୋଗାଉଥିବା ସଂସ୍ଥାର ମନମୁଖୀ କାମ ଓ ଅପରିଷ୍କାର ପରିବେଶ ଯୋଗୁଁ ଏବେ ଅସନ୍ତୋଷ ବଢ଼ିଛି ।

ଭୀମସାର ପରିସର ମଧ୍ୟରେ ଥିବା ଏହି କ୍ୟାଣ୍ଟିନ ଭିତରେ ବୁଲା କୁକୁର ବୁଲୁଥିବା ଦେଖିବାକୁ ମିଳିଛି । ଉତ୍ତମ ସ୍ୱାସ୍ଥ୍ୟସେବା ଆଶାରେ ସମଗ୍ର ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡ ଭଳି ରାଜ୍ୟର ଅନେକ ଲୋକ ନିର୍ଭର କରୁଥିବା ଏହି କ୍ୟାଣ୍ଟିନଟି କେତେଦୂର ସ୍ୱଚ୍ଛ ଓ ସ୍ୱାସ୍ଥ୍ୟ ପ୍ରତି କେତେଦୂର ସଚେତନ ଓ ଯତ୍ନବାନ ତାହା ସ୍ପଷ୍ଟ ବାରିହେଉଛି । ତେବେ ସମ୍ପୂର୍ଣ ଆବଦ୍ଧ ହୋଇଥିବା ଏହି 24 ଘଣ୍ଟିଆ ସେବା ଯୋଗାଉଥିବା କ୍ୟାଣ୍ଟିନରେ କିଭଳି ଓ କେଉଁ ପରିସ୍ଥିରେ କୁକୁର ପ୍ରବେଶ କଲା ତାହା ଆଶର୍ଯ୍ୟର ବିଷୟ ।

ଅନ୍ୟ ପଟେ ଏହି କ୍ୟାଣ୍ଟିନରେ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି ସମୟରେ କରୁଥିଲେ କଣ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ! ତେବେ ଏହି ବୁଲା କୁକୁରଟି କ୍ୟାଣ୍ଟିନ ଭିତରେ ପଶି କେଉଁ ଖାଦ୍ୟ ସାମଗ୍ରୀ ରେ ମୁହଁ ମାରିନଥିବ ବୋଲି କହିହେବ ନାହିଁ । ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଖର ବିଷୟ ।