ଚାରିଟି ସ୍ତରରେ ହେବ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ: ଦଶମ ବୋର୍ଡ ପରୀକ୍ଷା ସହ ଦ୍ୱାଦଶ ପରୀକ୍ଷା ବି ହେବ

1 min read

ଭୁବନେଶ୍ୱର, (ପ୍ରିୟ ପ୍ରୀତମ ମହାନ୍ତି) : କେନ୍ଦ୍ରର ନୂତନ ଶିକ୍ଷା ନୀତି ପ୍ରଣୟନ ହେଲେ ଉଚ୍ଛେଦ ହେବ ଯୁକ୍ତ ଦୁଇ । ଚାରିଟି ସ୍ତର ଦେଇ ପ୍ରଥମରୁ ଦ୍ୱାଦଶ ଯାଏଁ ଛାତ୍ରଛାତ୍ରୀଙ୍କ ସମୀକ୍ଷା କରାଯିବ । ଉଚ୍ଚମାଧ୍ୟମିକ ଶିକ୍ଷାରୁ ବାଦ୍ ପଡ଼ି ନବମରୁ ଦ୍ୱାଦଶ ଯିବ ମାଧ୍ୟମିକ ଶିକ୍ଷା ପରିଷଦକୁ । ତେବେ ଛାତ୍ରଛାତ୍ରୀଙ୍କୁ ଅଷ୍ଟମ ଶ୍ରେଣୀରୁ ମନମୁତାବକ ପାଠ୍ୟକ୍ରମ ବାଛିବାର ସୁଯୋଗ ରହିବ । ହେଲେ ପୂର୍ବ ଦୁଇଟି ଶିକ୍ଷା ନୀତିର ଅଧା ବି ଲାଗୁ ନ ହୋଇଥିବାରୁ, ୨୦୨୦ ଶିକ୍ଷା ନୀତି ପ୍ରଣୟନ ନେଇ ସନ୍ଦେହ ଉପୁଜିଛି ।

ଏପରି ଭାବେ ବିଭକ୍ତ ହୋଇଛି ନୂତନ ଶିକ୍ଷା ବର୍ଷର ନୂଆ ଢାଞ୍ଚା । ଯାହା ପ୍ରଣୟନ ହେଲେ ରହିବନି ଯୁକ୍ତ ଦୁଇ । ତା ବଦଳରେ ଚାରିଟି ସ୍ତରରେ ହେବ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ । ଦଶମ ବୋର୍ଡ ପରୀକ୍ଷା ସହ ଦ୍ବାଦଶ ପରୀକ୍ଷା ବି ହେବ । ହେଲେ ଏହାକୁ ପରିଚାଳନା କରିବ ନାହିଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ । ଏହା ସଂପୂର୍ଣ୍ଣ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ରହିବ । ଉଭୟ ସରକାରୀ ଓ ଘରୋଇ ସ୍କୁଲ ଏହି ମାପଦଣ୍ଡକୁ ଆସିବ ।

ଶିକ୍ଷାର ମାନ ଯାଞ୍ଚ କରିବ ରାଜ୍ୟ ସ୍କୁଲ ନିୟନ୍ତ୍ରଣ କର୍ତ୍ତୃପକ୍ଷ । ଅଷ୍ଟମ ପରେ ଅର୍ଥାତ୍ ନବମରୁ ହିଁ କଲେଜ ପରି ପାଠ୍ୟକ୍ରମ ବାଛିବାର ସ୍ବାଧୀନତା ପାଇବେ ଛାତ୍ରଛାତ୍ରୀ । ପୂର୍ବରୁ କଳା, ବିଜ୍ଞାନ ଓ ବାଣିଜ୍ୟର ଷ୍ଟ୍ରିମ ବି ବାଦ୍ ପଡ଼ିବ । ଯେଉଁଥି ପାଇଁ ପଦାର୍ଥ ବିଜ୍ଞାନ ସହ ମ୍ୟୁଜିକ୍ କିମ୍ବା କ୍ରୀଡ଼ା ପଢିବାର ବି ସୁଯୋଗ ମିଳିବ । ଶିକ୍ଷାର ଅଗ୍ରଗତି ନେଇ ପ୍ରତି ଦୁଇରୁ ତିନି ବର୍ଷରେ ଛାତ୍ରଛାତ୍ରୀଙ୍କ ସମୀକ୍ଷା ହେବ ।

ତେବେ ଯୁକ୍ତ ଦୁଇ ଉଚ୍ଛେଦକୁ ନେଇ ଦ୍ବନ୍ଦ୍ବ ବି ଉପୁଜିଛି । କିଛି ଏହାକୁ ଛାତ୍ରଛାତ୍ରୀଙ୍କ ମଲଟିଡିସିପ୍ଲିନାରି ବା ବିବିଧଶିକ୍ଷା ବିକାଶ ଦିଗରେ ସହାୟକ ହେବା ନେଇ ମତ ଦେଇଛନ୍ତି । ହେଲେ ଶିକ୍ଷକ ଏଦିଗରେ କେଉଁଠାରୁ ଆସିବେ ବୋଲି ବି ଅନେକ ପ୍ରଶ୍ନ କରିଛନ୍ତି । ଏହାକୁ ବ୍ୟୟ ବହୁଳ ଶିକ୍ଷା ନୀତିର ଆଖ୍ୟା ବି ଦେଇଛନ୍ତି କିଛି ଶିକ୍ଷାବିତ୍ ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ କୌଶଳ ନେଇ ପ୍ରଶିକ୍ଷଣ ପାଇବେ । ଶିକ୍ଷାଦାନରେ ସୃଜନାତ୍ମକ, ସହଭାଗୀତାମୂଳକ ସମେତ ଆବିଷ୍କାରମୂଳକ କାର୍ଯ୍ୟ ମଧ୍ୟ ସାମିଲ ହେବ  ।

Opn Commnet Area

Leave a Reply

Your email address will not be published. Required fields are marked *

ନଜର ପକାନ୍ତୁ

Close Bitnami banner