ଉମେଶ ପାଲ ମର୍ଡର: ଅତିକର ପୁଅ ଓ ଫେରାର ଶୁଟରଙ୍କ ଉପରେ ଅଢ଼େଇ ଲକ୍ଷର ପୁରସ୍କାର ରାଶି

ଲକ୍ଷ୍ନୌ: ପ୍ରୟାଗରାଜରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ ଅହମ୍ମଦର ପୁଅ ଓ ସମସ୍ତ ଶୁଟରଙ୍କ ଉପରେ ପୁରସ୍କାର ରାଶିର ଘୋଷଣା କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ପୋଲିସ ପୁରସ୍କାର ରାଶିକୁ ୫୦ ହଜାରରୁ ବୃଦ୍ଧି କରି ଅଢ଼େଇ ଲକ୍ଷ ଟଙ୍କା କରିଦେଇଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅଭିଯୁକ୍ତଙ୍କ ଗିରଫଦାରୀ ପାଇଁ ଏସଟିଏଫର ୟୁନିଟ ବ୍ୟତୀତ ସମସ୍ତ ଜିଲ୍ଲାକୁ ଟାସ୍କ ଦିଆଯାଇଛି । ଅଭିଯୁକ୍ତମାନଙ୍କ ଡିଟେଲ୍ସ ସମସ୍ତ ଜିଲ୍ଲା ସହ ସେୟାର କରାଯାଇ ଲୁଚିବାର ସମସ୍ତ ସମ୍ଭାବିତ ସ୍ଥାନର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତିକର ପୁଅ ଅସଦ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି । ଏବେ ତା ଉପରେ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।

ଅସଦ ସିସିଟିଭି ପୁଟେଜରେ ଉମେଶ ପାଲଙ୍କୁ ଗୁଳିମାରୁଥିବାର ନଜର ଆସିଥିଲା । ଅସଦ ବ୍ୟତୀତ ଉମେଶ ପାଲ ହତ୍ୟାକାଣ୍ଡ ସମୟରେ ଗୁଡ୍ଡୁ ମୁସଲିମ ବ୍ୟାଗରେ ବୋମା ନେଇ ପହଞ୍ଚିଥିଲା । ଗୁଡ୍ଡୁ ମୁସଲିମ ବିରୋଧରେ ଜୈନପୁର, ସୁଲତାନପୁର ଏବଂ ପ୍ରୟାଗରାଜରେ ମୋଟ ୨୦ ମକଦ୍ଦମା ରୁଜୁ ଅଛି । ୨୦୦୫ରେ ରାଜୁ ପାଲ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଅଛି । ଉମେଶ ପାଲ ହତ୍ୟାରେ ଗୁଲାମ ଟୋପି ପିନ୍ଧି ପିସ୍ତଲରେ ଫାୟାରିଂ କରୁଥିବାର ନଜର ଆସିଥିଲେ । ଗୁଲାମ ବିରୋଧରେ ପୂର୍ବରୁ ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା ମାମଲା ରୁଜୁ ଅଛି ।

ଅନେକ ବିଜେପି ନେତାଙ୍କ ସହିତ ଗୁଲାମର ଭଲ ସମ୍ପର୍କ ଥିବା କୁହାଯାଉଛି । ସଲ୍ଲାହପୁର ପୁରାମୁଫତିର ବାସିନ୍ଦା ସାବିରର ଅପରାଧିକ ଇତିହାସ ପୋଲିସ ପାଖରେ ନାହିଁ । ଇମେଶଙ୍କ ଉପରେ ରାଇଫଲରେ ସାବିର ଗୁଳିମାଡ଼ କରିଥିଲା । ସାବିର ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଅରବାଜର ଗାଁର ଅଟେ । ଗୟା ବିହାରର ବାସିନ୍ଦା ଅରମାନ ସିଭିଲ ଲାଇନ୍ସରେ ରହୁଥିଲା । ସିସିଟିଭି ପୁଟେଜରେ ସେ ଟୋପି ପିନ୍ଧି ଉମେଶ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ପିସ୍ତଲରେ ପାୟାରିଂ କରୁଥିବାର ନଜର ଆସିଥିଲା ।

ସିଭିଲ ଲାଇନ୍ସ ପୋଲିସ ତାକୁ ଧାରୁଅ ଅସ୍ତ୍ର ରଖିବା ଅଭିଯୋଗରେ ପୂର୍ବରୁ ଜେଲକୁ ପଠାଇଥିଲା । ସୂଚନାଥାଉକି ନିକଟରେ, ବିଧାୟକ ରାଜୁପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ପାଖରେ ଗୁଳି କରି ଏବଂ ବୋମା ପକାଇ ହତ୍ୟା କରାଯାଇଥିଲା । ଉମେଶଙ୍କ ସୁରକ୍ଷାରେ ଥିବା ଦୁଇ କର୍ମଚାରୀ ମଧ୍ୟ ଏହି ଗୁଳିମାଡ଼ରେ ମୃତ୍ୟୁବରଣ କରିଥିଲେ । ରାଜୁ ପାଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅତିକ ଅହମ୍ମଦ ଗୁଜୁରାଟର ଏକ ଜଲରେ ବନ୍ଦୀ ଅଛି । ତାର ପୁଅ ଅସଦ ଏବଂ ସହଯୋଗୀମାନେ ଉମେଶଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ୟୁପି ପୋଲିସ ସକ୍ରିୟ ହେବା ସହ ଅଭିଯୁକ୍ତଙ୍କୁ ଖୋଜୁଛି ।