ଆଜି ଆମେରିକା ଯିବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

କିଭ୍ : ଯୁଦ୍ଧର ଘନଘଟା ଭିତରେ ଆଜି ଆମେରିକା ଗସ୍ତ କରିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଗସ୍ତକାଳରେ ଓ୍ବାଶିଂଟନ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆମେରିକୀୟ କଂଗ୍ରେସର ଏକ ବୈଠକରେ ବି ସେ ଯୋଗଦେବା ସମ୍ଭାବନା ରହିଛି ।

ଗତ ଫେବ୍ରୁଆରୀ ୨୪ ତାରିଖ ଯୁଦ୍ଧ ଆରମ୍ଭ ପରଠାରୁ ଏହା ହେବ ଜେଲେନସ୍କିଙ୍କ ପ୍ରଥମ ଆମେରିକା ଗସ୍ତ । ୟୁକ୍ରେନ ଉପରେ ଋଷର ଭୟାନକ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନକୁ ଅତିଶକ୍ତିଶାଳୀ ପାଟ୍ରିୟଟ ମିସାଇଲ ଯୋଗାଣ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ସମ୍ଭାବନା ରହିଛି । ତେଣେ ୟୁକ୍ରେନକୁ ଫ୍ରାନ୍ସ ରକେଟ ଲଞ୍ଚର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଛି ।

ଆସନ୍ତାବର୍ଷ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସମ୍ମତି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଗତ କିଛି ଦିନ ତଳେ ୟୁକ୍ରେନକୁ ଫ୍ରାନ୍ସ ଏୟାର ଡିଫେନ୍ସ ବ୍ୟାଟେରୀ ପଠାଇଥିଲା । ତେଣେ ୟୁକ୍ରେନରେ ରିଲିଫ ଓ ଅନ୍ୟାନ୍ୟ ସହାୟତା ଲାଗି ବିଶ୍ବବ୍ୟାଙ୍କ ୬୧୦ ନିୟୁତ ଡଲାରର ଏକ ଆର୍ଥିକ ପ୍ୟାକେଜକୁ ମଞ୍ଜୁରୀ ଦେଇଛି । ପୁନଃନିର୍ମାଣ ଓ ଆର୍ଥିକ ପୁନର୍ଗଠନ ଲାଗି ଏହି ସହାୟତା ଉଦ୍ଦିଷ୍ଟ ।