ସରେଣ୍ଡର କରିବନି ୟୁକ୍ରେନ ସେନା, ଶେଷ ଯାଏଁ କରିବ ଲଢେଇ
କିଏଭ: ୟୁକ୍ରେନର ମାରିୟୁପୋଲ ଋଷିଆ ନିୟନ୍ତ୍ରଣକୁ ଆସିବା ସମ୍ଭାବନା ରହିଛି । ୟୁକ୍ରେନ ସେନାର ପ୍ରବଳ ପ୍ରତିରୋଧ ସତ୍ତ୍ବେ ସହର ଋଷିଆର ନିୟନ୍ତ୍ରଣକୁ ଆସିବା ନିଶ୍ଚିତ ହୋଇଛି । ମାରିୟୁପୋଲରେ ବର୍ତ୍ତମାନ ଥିବା ୟୁକ୍ରେନର ସୈନ୍ୟଙ୍କୁ ଆତ୍ମସମର୍ପଣର ପ୍ରସ୍ତାବ ଦେଇଥିଲା ଋଷିଆ । କିନ୍ତୁ ତାଙ୍କ ଦେଶର ସୈନ୍ୟମାନେ ଆତ୍ମସମର୍ପଣ କରିବେ ନାହିଁ ବୋଲି ୟୁକ୍ରେନର ଜଣେ ସାଂସଦ କହିଛନ୍ତି । ସେମାନେ ଶେଷ ଯାଏଁ ଲଢେଇ କରିବେ ବୋଲି ସେ କହିଛନ୍ତି ।
ସାଂସଦଙ୍କ କହିବା ଅନୁସାରେ ମାରିୟୁପୋଲରେ ଗଣହତ୍ୟାରେ ସଂପୃକ୍ତ ରହିଛି ଋଷୀୟ ସେନା । ସହରରେ ୨୦ ହଜାର ଲୋକଙ୍କୁ ହତ୍ୟା କରାଯାଇଛି । ଏବେ ବି ସହରରେ ୧ ଲକ୍ଷରୁ ଅଧିକ ଲୋକ ଥିବା ସେ କହିଛନ୍ତି । ଏଣେ ସୋମବାରଠାରୁ ମାରିୟୁପୋଲକୁ ଯୋଗାଯୋଗ ସୀମିତ କରିବ ମସ୍କୋ । ମାରିୟୁପୋଲ କବଜା ପାଇଁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ସହରରେ ଥିବା ଯୁକ୍ରେନ ସୈନ୍ୟଙ୍କୁ ଯଦି ହତ୍ୟା କରାଯାଏ, ତାହାହେଲେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆଉ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରପତି ଭାଲୋଦିମିର ଜେଲେନସ୍କି କହିଛନ୍ତି ।
ଏଣେ ରାଜଧାନୀ କିଏଭରେ ଋଷିଆ ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ସହରବାସୀଙ୍କୁ ସତର୍କ କରାଇଦେଇଛନ୍ତି ମେୟର ଭିଟାଲି କ୍ଲିସନୋକୋ । ତେଣୁ ସହର ଛାଡି ପଳାଇଥିବା ଲୋକଙ୍କୁ ନ ଫେରିବା ପାଇଁ ପରାମର୍ଶ ଦେଇଛନ୍ତି କିଭ୍ ମେୟର । ସେପଟେ ବ୍ରିଟେନ ପ୍ରଧାନମମନ୍ତ୍ରୀ ବୋରିସ ଜନସନ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ଉପରେ ନିଷେଧାଦେଶ ଜାରି କରିଛି ଋଷିଆ । ଋଷିଆରେ ସେମାନଙ୍କ ପ୍ରବେଶ ମନା ହୋଇଛି । କିଛି ଦିନ ତଳେ ବୋରିସ ଜନସନ କିଭ୍ ଗସ୍ତ କରିଥିଲେ ।