ଚୀନକୁ ଚେତାବନୀ ଦେଲା ବ୍ରିଟେନ, ତାଇଓ୍ବାନ ଉପରେ ଆକ୍ରମଣ କଲେ…

1 min read

ବେଜିଂ: ଚୀନ ବିରୋଧରେ ବ୍ରିଟେନର ଗର୍ଜନ। ତାଇଓ୍ବାନ ଉପରେ କୌଣସି ପ୍ରକାର ଆକ୍ରମଣ ନ କରିବା ଲାଗି ଚୀନକୁ ଚେତାବନୀ ଦେଇଛି ବ୍ରିଟେନ। ବିଶ୍ବରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଚୀନ ଉଦ୍ୟମ କରୁଥିବା ନେଇ ବ୍ରିଟେନ କରିଛି ଅଭିଯୋଗ ।

ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମସ କ୍ଲେଭର୍ଲି କହିଛନ୍ତି- ତାଇଓ୍ବାନ ପ୍ରସଙ୍ଗରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବ୍ରିଟେନ ଚାହେଁ । ଦିନକୁ ଦିନ ତାଇଓ୍ବାନ ବିରୋଧରେ ଚୀନର ସମରସଜ୍ଜା ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ବ୍ରିଟେନ ଓ ଆମେରିକା ଉଦବେଗ ପ୍ରକାଶ କରିଆସିଛନ୍ତି। କିଛିଦିନ ତଳେ ତାଇଓ୍ବାନ ଚାରିପାଖେ ଚୀନର ସମରାଭ୍ୟାସକୁ ନେଇ ଆମେରିକା ଚିନ୍ତା ବ୍ୟକ୍ତ କରିବା ସହ ତାଇଓ୍ବାନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା।

କ୍ଲେଭର୍ଲି ଆହୁରି ମଧ୍ୟ କହିଛନ୍ତି- ତାଇଓ୍ବାନ ବିବାଦକୁ ନେଇ ବିଶ୍ବ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହ ବିଶେଷ କରି ଆଡଭାନ୍ସଡ ସେମିକଣ୍ଡକ୍ଟରର ଯୋଗାଣ ବିଶ୍ବ ସ୍ତରରେ ପ୍ରଭାବିତ ହେବ। ତାଇଓ୍ବାନ ଷ୍ଟ୍ରେଟରେ କୌଣସି ପ୍ରକାର ଅସ୍ଥିରତା ଘଟିଲେ ବିଶ୍ବ ବାଣିଜ୍ୟ ୨ ଦଶମିକ ୬ ଟ୍ରିଲିୟନ ଡଲାର ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ତୃତୀୟ ଥର ଲାଗି ଚୀନର ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ତାଇଓ୍ବାନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ବ୍ୟାପକ ସମରସଜ୍ଜା କରିଆସୁଛନ୍ତି । ଚୀନର ଏହି ନୀତିକୁ ବି ବାରମ୍ବାର ବିରୋଧ କରିଆସୁଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ।