ବ୍ରିଟେନରେ ସାଧାରଣ ନିର୍ବାଚନ : ଚାଲିଛି ଭୋଟିଂ

1 min read

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନରେ ଆଜି ଚାଲିଛି ସାଧାରଣ ନିର୍ବାଚନ । ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ଚାଲିଛି ଭୋଟିଂ । ସାରା ଦେଶରେ ୪୦ ହଜାରରୁ ଅଧିକ ପୋଲିଂ ବୁଥ୍ କରାଯାଇଛି। ମ୍ଯାଜିକ ନମ୍ବର ହେଉଛି ୩୨୬ । ଓପିନିୟନ ପୋଲ୍ ଅନୁସାରେ ଏଥର କନଜରଭେଟିଭ ପାର୍ଟିର ଶାସନ ଶେଷ ହେବ ଏବଂ କ୍ଷମତାକୁ ଫେରିବ ଲେବର ପାର୍ଟି। ଏବେ କନଜରଭେଟିଭ ପାର୍ଟି କ୍ଷମତାରେ ଅଛି । ଭାରତୀୟ ବଂଶୋଦ୍ଭବ ରିଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି। କିନ୍ତୁ ଏଥର କିର୍ ଷ୍ଟାରମରଙ୍କ ନେତୃତ୍ବରେ ଲେବର୍ ପାର୍ଟି ଜିତିବ ବୋଲି କୁହାଯାଉଛି। ଏପରିକି ଏହି ଦଳର ଏକତରଫା ବିଜୟ ହେବ ବୋଲି କୁହାଯାଉଛି।

୧୯୯୭ରେ ଲେବର ପାର୍ଟି ସର୍ବାଧିକ ୪୧୮ଟି ଆସନରେ ବିଜୟୀ ହୋଇଥିଲା। ଟୋନି ବ୍ଲେୟାର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ରେ କିନ୍ତୁ ବୋରିସ ଜନସନଙ୍କ ନେତୃତ୍ବରେ କନଜରଭେଟିଭ ପାର୍ଟି ଜିତିଥିଲା। ବିଭିନ୍ନ ବିବାଦକୁ ନେଇ ସେ ଇସ୍ତଫା ଦେଇଥିଲେ ଏବଂ ରିଷି ସୁନକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର କିନ୍ତୁ ତାଙ୍କ ଦଳ ହାରିବା ସହିତ ସେ ନିଜେ ମଧ୍ଯ ହାରିବେ ବୋଲି ଚର୍ଚ୍ଚା ହେଉଛି। ପାର୍ଲାମେଣ୍ଟର ଅବଧି ସରିନଥିଲେ ମଧ୍ଯ ୬ ମାସ ଆଗରୁ ନିର୍ବାଚନ କରାଇଛନ୍ତି ଋଷି ସୁନକ । କିନ୍ତୁ ତାହା ବୁମେରାଂ ହେବାର ଯଥେଷ୍ଟ ସମ୍ଭାବନା ଅଛି।

ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ଯ ପ୍ରସଙ୍ଗ ରହିଛି-ଅର୍ଥନୀତି, ଟ୍ଯାକ୍ସ, ଇମିଗ୍ରେସନ ପରି ଇସ୍ଯୁ। ୨୦୨୨  ଅକ୍ଟୋବରରୁ ପ୍ରଧାନମନ୍ତ୍ରୀ ଅଛନ୍ତି ରିଷି ସୁନକ। ଦୁଇ ପ୍ରମୁଖ ଲେବର ପାର୍ଟି ଓ କନଜରଭେଟିଭ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ଯ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ଯାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ, । ନିର୍ବାଚନରେ ଯଦି ସରକାର ପରିବର୍ତ୍ତନ ହୁଏ, ତେବେ ଭାରତ ଓ ବ୍ରିଟେନ ସଂପର୍କରେ ପ୍ରଭାବ ପଡ଼ିପାରେ। ଦୁଇ ଦେଶ ମଧ୍ଯରେ ମୁକ୍ତ ବାଣିଜ୍ଯ ପାଇଁ ଦୁଇ ବର୍ଷ ହେଲା କଥାବାର୍ତ୍ତା ଚାଲିଛି। ଏହା ବାଧାପ୍ରାପ୍ତ ହୋଇପାରେ।