ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ବଢୁଛି ଅଡ଼ୁଆ, ଆଜି ବସିବ ଜରୁରୀ ବୈଠକ

1 min read

ମୁମ୍ବାଇ: ଘନୀଭୂତ ହେଉଛି ମହାରାଷ୍ଟ୍ର ସଂକଟ । ଅଧିକ ଅଡ଼ୁଆରେ ପଡ଼ିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏକନାଥଙ୍କ ଶିବିରରେ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ସମର୍ଥନ ନେଇ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା କହିଛନ୍ତି ଏକନାଥ ସିନ୍ଦେ । ଏନେଇ ସେ ରାଜ୍ୟପାଳଙ୍କ ଚିଠି ଲେଖିଛନ୍ତି । ନିଜକୁ ବିଧାୟକ ଦଳ ନେତା ବୋଲି ଦାବି କରୁଛନ୍ତି ଏକନାଥ ସିନ୍ଦେ । ଅନ୍ୟପଟେ ସଙ୍କଟ ଭିତରେ ଆଜି ଦିନ ସାଢ଼େ ୧୨ଟାରେ ଜରୁରୀ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ । ଏହି ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା କରାଯିବ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ଶେଷ ଯାଏ ରହିବ ବୋଲି ଘୋଷଣା କରିଛି ଏନସିପି । ଏନସିପି ନେତା ଶରଦ ପାଓ୍ବାର କହିଛନ୍ତି ଉଦ୍ଧବଙ୍କ ପଛରେ ତାଙ୍କ ଦଳ ଠିଆ ହେବ ଏବଂ ସମସ୍ତ ଚାଲେଞ୍ଜର ମୁକାବିଲା କରାଯିବ । MVAକୁ ବଞ୍ଚାଇବା ଲାଗି ତିନୋଟି ଯାକ ଦଳ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ । ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ MVA ପ୍ରସ୍ତୁତ । ସେହିପରି ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ଉପବାଚସ୍ପତିଙ୍କ ନିକଟରେ ଶିବସେନା ଆବେଦନ କରିବ । କଂଗ୍ରେସ ମଧ୍ୟ ଆପଣାଇଛି ଓ୍ୱେଟ ଆଣ୍ଡ ଓ୍ୱାଚ ନୀତି । ମୁମ୍ବାଇର ସହାୟଦ୍ରି ଗେଷ୍ଟହାଉସରେ ଅନୁଷ୍ଠିତ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି ।