ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡି ସହ ମେଣ୍ଟ କଲେ ଉଦ୍ଧବ ଠାକରେ

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ । ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଞ୍ଚିତ ବହୁଜନ ଅଘାଡି ବା ଭିବିଏ ସହ ମେଣ୍ଟ କରିଛନ୍ତି । ବର୍ତ୍ତମାନ ଭିବିଏର ନେତୃତ୍ବ ନେଉଛନ୍ତି ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର । ମେଣ୍ଟ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ କହିଛନ୍ତି- ସମ୍ବିଧାନକୁ ଅକ୍ଷୁଣ୍ଣ ରଖିବା ଲାଗି ଦୁଇ ଦଳ ଏକାଠି ହୋଇଛନ୍ତି । ଗତବର୍ଷ ଜୁନରେ ଏକନାଥ ସିନ୍ଦେ ବିଦ୍ରୋହ କରିବାରୁ ମହାବିକାଶ ଅଘାଦି ସରକାରର ପତନ ଘଟିଥିଲା ।

ସେହିଦିନଠାରୁ କ୍ଷମତାରୁ ଅନ୍ତର ହୋଇଥିଲେ ଉଦ୍ଧବ । ପ୍ରକାଶ କହିଛନ୍ତି- ତାଙ୍କ ଦଳକୁ ଏମଭିଏରେ ଉଭୟ କଂଗ୍ରେସ ଓ ଏନସିପି ଗ୍ରହଣ କରିବେ ବୋଲି ସେ ଆଶା କରୁଛନ୍ତି । ଏହା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି ସଂସ୍ଥାଗୁଡିକୁ ଯେପରି ଭାବେ ବିଜେପି ସରକାର ବ୍ୟବହାର କରୁଛନ୍ତି ତାହାକୁ ପ୍ରକାଶ ବିରୋଧ କରିଛନ୍ତି । ବୃହନମୁମ୍ବାଇ ମହାନଗର ନିଗମ ନିର୍ବାଚନ ଆସନ୍ତା ମାର୍ଚ୍ଚରେ ହେବା ସମ୍ଭାବନା ରହିଥିବାବେଳେ ଉଦ୍ଧବ ଓ ପ୍ରକାଶଙ୍କ ମଧ୍ୟରେ ମେଣ୍ଟ ଅନେକ ସମ୍ଭାବନା ସୃଷ୍ଟି କରିଛି । ବିଭାଜନ ପରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନାମ ରହିଥିଲା ବାଲାସାହେବାଞ୍ଚି ଶିବସେନା ।