ଉଦୟପୁର ଟେଲର ହତ୍ୟାକାଣ୍ଡ ମାମଲା: ୭ମ ଅଭିଯୁକ୍ତକୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ବଡ଼ ସଫଳତା ମିଳିଛି । ଏହି ହତ୍ୟାକାଣ୍ଡରେ ସାମିଲ ୭ମ ଅପରାଧୀକୁ ଏନଆଇଏ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୩୧ ବର୍ଷୀୟ ଫରହଦ ମହମ୍ମଦ । ତେବେ ଫରହଦ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ସହ ମିଶି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଶନିବାର ଫରହଦକୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ପୂର୍ବରୁ ହତ୍ୟା ମାମଲାରେ ୬ଜଣଙ୍କ ଗିରଫ ହୋଇସାରିଛି । ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ ପଚରା ଉଚରା ଜାରି ରଖିଛି ।

ସନ୍ଦେହ କରାଯାଉଛି ଏମାନଙ୍କର ତାଲିବାନୀ ଓ ପାକିସ୍ତାନ ସହ ଲିଙ୍କ ଥିବାର । ସୂଚନା ଥାଉକି ନିକଟରେ ଉଦୟପୁରରେ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କର ନିର୍ମମ ହତ୍ୟା କରାଯାଇଥିଲା । ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ଲେଖିଥିବାରୁ ମୁସଲିମ ସମ୍ପ୍ରଦାୟର ଦୁଇ ଯୁବକ ତାଙ୍କ ଦୋକାନ ଭିତରେ ପସି ଦିନ ଦ୍ୱିପ୍ରହରରେ ବେକ କାଟି ଦେଇଥିଲେ । ତାଲିବାନୀ ପାଟର୍ଣ୍ଣରେ ଏହି ହତ୍ୟା କରାଯାଇଥିଲା । ହତ୍ୟା ପରେ ସାରା ଦେଶରେ ଆନ୍ଦୋଳନ ଏବଂ ଆକ୍ରୋଶ ଦେଖା ଦେଇଥିଲା । ରାଜସ୍ଥାନ ପୋଲିସ ଭିଡିଓରେ ଦେଖା ଯାଉଥିବା ଦୁଇ ଯୁବକଙ୍କୁ ସେହିଦିନ ହିଁ ଗିରଫ କରିଥିଲା । ଏହାପରେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏନଆଇଏ ତଦନ୍ତ ଭାର ସମ୍ଭାଳିଥିଲା ।