ବାରଙ୍ଗରେ ପୋଲିସ ଅଧିକାରୀ, ବୁର୍ଲାରେ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ଆତ୍ମହତ୍ୟା । ଗୋଟିଏ ସ୍ଥାରେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ସ୍ଥାନରେ ଯୁବକ ଜୀବନ ହାରିଛନ୍ତି । ଏମିତି ଘଟଣା ଘଟିଛି ବାରଙ୍ଗ ଓ ବୁର୍ଲା ଅଞ୍ଚଳରେ ।

ଖବର ଅନୁସାରେ, ବାରଙ୍ଗ ଥାନା ଏଏସଆଇ ଅଶୋକ ପ୍ରଧାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଦାସାହି ଗାଁରେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଅଶୋକ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । ଦେଢବର୍ଷ ହେଲା ବାରଙ୍ଗ ଥାନାରେ କାର୍ଯ୍ୟରତ ଥିଲେ ଅଶୋକ । କାଲି ରାତି ପ୍ରାୟ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ । ରାତି ପ୍ରାୟ ୧୨ଟା ୪୫ରେ ସେ ଆତ୍ମହତ୍ୟା କରିଥିବା ନେଇ ସ୍ତ୍ରୀ ଅଶୋକଙ୍କ ବଡ଼ଭାଇଙ୍କୁ ଜଣାଇଥିଲେ । ଘର ଲୋକଙ୍କୁ ପଚରାଉଚରା କରାଯିବା ସହ ପାରିବାରିକ ସମସ୍ୟା ଓ କର୍ମସ୍ଥଳୀରେ ଚାପ ନେଇ ତଦନ୍ତ କରାଯାଉଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ସେହିପରି ବୁର୍ଲା ଥାନା କଣ୍ଟ୍ରାକ୍ଟର୍ସ କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଚନ୍ଦନ ରାୟ । ସେ ଜଣେ ବ୍ୟବସାୟୀଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ । ସକାଳୁ ବନ୍ଦ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘରେ ମାଆ ଓ ସ୍ତ୍ରୀ ଥିବା ବେଳେ କେଉଁ ପରିସ୍ଥିତିରେ ଚନ୍ଦନ ଆତ୍ମହତ୍ୟା କରିଛନ୍ତି ସେ ନେଇ ସନ୍ଦେହ ଉପୁଜିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି ।