ଦୁଇ ଅନାଥ ଭାଇଙ୍କ ଆକୁଳ ନିବେଦନ: ମାଆର ସୁଧିକ୍ରିୟା ପାଇଁ ପଇସା ନାହିଁ, ସାହାଯ୍ୟ କର…

କେନ୍ଦ୍ରାପଡ଼ା: ବାପା ଚାଲିଗଲା ବେଳକୁ ଷଷ୍ଠ ଶ୍ରେଣୀରେ ପଢୁଥିଲି । ମାଆ ବହୁତ କଷ୍ଟରେ ଆମ ଦୁଇ ଭାଇଙ୍କୁ ଦୁଇ ବେଳା ଖାଇବାକୁ ଦେଇ ପାରୁଥିଲେ । ଆମେ ଏମିତି ଦୁର୍ଦ୍ଦିନରେ ଦିନ କାଟିଛୁ ଯେ, ଦୁଇ ଭାଇ କେବେ କିଛି ବଡ଼ ଆଶା କରିନୁ । ତଥାପି ମାଆ ଆମକୁ ପାଠ ପଢ଼ାଉଥିଲେ । ଏମିତି ବି ଦିନ ଆସିଛି, ଘରେ ଖାଇବାକୁ ବି ଗଣ୍ଡେ ନଥାଏ । ପଡ଼ୋଶୀ ଦେଇଥିବା ଖାଇବା ଆମ ଜୀବନ ବଞ୍ଚାଇଛି । ଏମିତି ସ୍ଥିତିରେ ମାଆ ବି ଆମକୁ ଛାଡି ଆରପାରିକୁ ଚାଲିଗଲା । ଆମେ ଦୁଇ ଭାଇ ଏବେ ଅନାଥ । ମାଆର ସୁଧିକ୍ରିୟା କରିବାକୁ ବି ମୋ ପାଖରେ ଟଙ୍କାଟିଏ ନାହିଁ । ମୋ ମାଆଙ୍କ ସୁଧିକ୍ରିୟା ପାଇଁ ଦୟା କରି ସାହାଯ୍ୟ କରନ୍ତୁ । ଏ ହେଉଛି କେନ୍ଦ୍ରାପଡାର ନରେନ୍ଦ୍ରପୁର ଗାଁର ତ୍ରିଲୋଚନ ସେଠୀଙ୍କ ନାବାଳକ ପୁଅ ଆଶିଷ ସେଠୀଙ୍କ ଆକୁଳ ନିବେଦନ ।

ସୋସିଆଲ ମିଡ଼ିଆରେ ଏବେ ଆଶିଷ ଏବଂ ତାଙ୍କ ସାନାଭଇ ଦେବାଶିଷଙ୍କ ପୋଷ୍ଟ ଘୁରି ବୁଲୁଛି । ପୋଷ୍ଟଟି ଏମିତି ସେମିତି ନୁହେଁ । ଆପଣ ବି ପଢ଼ିଲେ, ଆଖିରେ ପାଣି ଆସିଯିବ । ପାଠ ପଢ଼ିବା ସହ ଖେଳିବା ବୟସରେ ମାଆର ସୁଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦୁଇ ପିଲା ନିବେଦନ କରିଛନ୍ତି । ଏପରିକି ପାଖରେ ନିଜର ଫୋନ ନଥିବାରୁ ପଡୋଶୀଙ୍କ ଫୋନରେ ଫେସବୁକରେ ଏମିତି ପୋଷ୍ଟ କରିଛନ୍ତି । ଏହାସହ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ମଧ୍ୟ ମାଆର ଫଟୋ ଛାଡ଼ି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

ମହାକାଳପଡା ଓ ମାର୍ଶାଘାଇ ବ୍ଲକରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଦୁଇ ଭାଇଙ୍କ ଫଟୋ । ଫଟୋ ତଳକୁ ଲେଖାଯାଇଛି ‘ସୁଧିକ୍ରିୟା ପାଇଁ ଅର୍ଥ ନାହିଁ, ଯଥା ସମ୍ଭବ ସାହାଯ୍ଯ କରନ୍ତୁ ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡାର ନରେନ୍ଦ୍ରପୁର ଗାଁର ତ୍ରିଲୋଚନ ସେଠୀଙ୍କର ଗତ ୩ ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିଲା । ସ୍ତ୍ରୀ ନମିତା ଦୁଇ ପୁଅ ଆଶିଷ ଏବଂ ଦେବାଶିଷଙ୍କୁ ନେଇ କଷ୍ଟେମଷ୍ଟେ ଚଳୁଥିଲେ । ଗତ ୧୮ ତାରିଖ ଦିନ ବ୍ରେନ ଷ୍ଟୋକରେ ଆରପାରିକୁ ଚାଲିଗଲେ ନମିତା । ଏବେ ମାଆର ସୁଧିକ୍ରିୟା ପାଇଁ ଦୁଇ ଅନାଥ ପିଲା ଟଙ୍କା ଯୋଗାଡ କରିବାରେ ଲାଗିଛନ୍ତି ।

ଆଶିଷ ଓ ଦେବାଶିଷଙ୍କ ପୋଷ୍ଟ ଦେଖି କିଛି ଲୋକ ଦୁଇ ଅନାଥ ଭାଇଙ୍କ ନିକଟରେ ପହଁଞ୍ଚି ସହାୟତା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ଦୁଇ ଅନାଥ ଶିଶୁଙ୍କ ମୃତ ମାଆର ସୁଧିକ୍ରିୟା ପାଇଁ ଟଙ୍କା ପ୍ରଦାନ କରନ୍ତୁ ବୋଲି ଲୋକେ ଦାବି କରିଛନ୍ତି । ଏହାସହ ସରକାର ଦୁଇ ପିଲାଙ୍କୁ ଥଇଥାନ କରିବା ସହ ସେମାନଙ୍କ ରଖିବା ଓ ପଢ଼ିବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଆପଣ ବି ଚାହିଁଲେ ଦୁଇ ଅନାଥ ପିଲାଙ୍କ ପାଖରେ ବଡ଼ ଭାଇ କି ଭଉଣୀ ପରି ଏମିତି ଦୁର୍ଦ୍ଦିନରେ ଛିଡ଼ା ହୋଇପାରିବେ । ଦୁଇ ପିଲାଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟ ହୁଅନ୍ତୁ ।