ଆଜି IPLରେ ଖେଳାଯିବ ଦୁଇଟି ମ୍ୟାଚ୍, ସନ୍ଧ୍ୟାରେ ମୁହାଁମୁହିଁ ହେବେ ରୋହିତ-କୋହଲି

ବାଙ୍ଗାଲୋର: ଜମୁଛି ଆଇପିଏଲ ଲଢେଇ । ଆଜି ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ସେହପରି ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି । ଆଇପିଏଲର ବିଗତ ୩ଟି ସିଜିନରେ ଆରସିବି ପ୍ଲେ ଅଫକୁ ଯାଇଥିଲା । ତେଣୁ ଚଳିତ ସିଜିନରେ ଆରସିବି ପ୍ଲେ ଅଫକୁ ଯିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଆଇପିଏଲରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଛି । ତେବେ ଗତ ସିଜିନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନରେ ମୁମ୍ବାଇ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିବ ।