ନାଗ ସହ ଲଢ଼ିଲା ନାଗ, ଜାଣନ୍ତୁ କ’ଣ ହେଲା ପରିଣାମ…  

Two King Cobra Face Off In Sunabeda

ଭୁବନେଶ୍ୱର: ନାଗ ସାପ ଓ ନେଉଳ ଲଢେଇ ଦେଖିଛନ୍ତି । ହେଲେ ଦୁଇଟି ନାଗଙ୍କ ଭିତରେ ଭୟଙ୍କର ଲଢେଇ କେବେ ଦେଖି ନଥିବେ। ସୁନାବେଡ଼ାରେ ନାଗ ନାଗ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ୨ଟି ନାଗ ସାପ ପରସ୍ପରକୁ ଆକ୍ରମଣ କରୁଛନ୍ତି । ଜଣେ ଆଉ ଜଣଙ୍କୁ କାମୁଡ଼ି ପକାଉଛନ୍ତି । କେହି କାହାକୁ ଛାଡ଼ିବାର ନାହିଁ ।

 Two King Cobra Face Off In Sunabeda

ସୁନାବେଡ଼ାରେ ରହୁଥିବା ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ ନାଗ ଲଢ଼େଇ ଦେଖିବାକୁ ମିଳିଛି । ଅନସୂୟାଙ୍କ ଗ୍ୟାରେଜ ଭିତରେ ଏକ ସାପ ଦେଖି ସେ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ଅଖା ପଛପଟେ ଏକ ନାଗ ସାପର ଅଧା ଦେହ ଦେଖିବାକୁ ପାଇଲେ । ୨ ଫୁଟ୍ ଲମ୍ବର ସେହି ନାଗ ସାପଟି ମଝିରେ ମଝିରେ ଗୋଲ ଗୋଲ ହୋଇ ନିଜ ଦେହକୁ ଗୁଡେଇ ଦେଉଥିଲା ।

ସେଇ ୨ ଫୁଟ ଲମ୍ବର ସାପଟିର ଲାଙ୍ଗୁଳକୁ ସୁଜିତ ନିଜର ସ୍ନେକ ହୁକ ସାହାଯ୍ୟରେ ଟେକି ହାତରେ ଭିଡ଼ିବାକୁ ଚେଷ୍ଟା କରିବାରୁ ସିମେଣ୍ଟ ବ୍ୟାଗ ପଛପଟୁ ଆଉ ଗୋଟିଏ ନାଗ ସାପର ମୁଣ୍ଡ ଦେଖାଗଲା । ଯିଏକି ଏହି ୨  ଫୁଟ ସାପର ମୁଣ୍ଡକୁ ପ୍ରାୟ ଗିଳି ଦେଇଥିଲା । ବଡ଼ ନାଗ ସାପର ପାଟିରୁ ଖସିବା ପାଇଁ ଛୋଟ ନାଗଟି ବହୁତ ପରିଶ୍ରମ କରୁଥିଲା, ହେଲେ ସଫଳ ହେଉ ନଥିଲା । ସୁଜିତ ଧୀରେ ଧୀରେ ଛୋଟ ନାଗଟିକୁ ଭିଡ଼ି ବାହାର କରି ଆଣିବା ବେଳେ ବଡ଼ ନାଗଟି ସେଇଭଳି ଛୋଟ ନାଗ ସାପ ମୁଣ୍ଡକୁ ପାଟିରେ ଧରି ବାହାରକୁ ଆସିଥିଲା ।

 Two King Cobra Face Off In Sunabeda

ବାହାରକୁ ଆସିବା ପରେ ଛୋଟ ନାଗଟି କିଛି କ୍ଷଣ ପାଇଁ ନିଜକୁ ବଡ଼ ନାଗ ପାଟିରୁ ମୁକ୍ତ କରି ନେଇଥିଲା । ହେଲେ ପୁଣି ବଡ଼ ନାଗଟି ଛୋଟ ନାଗର ବେକ ପାଖକୁ କାମୁଡ଼ି ଧରି ନେଇଥିଲା । ଏଥର ନିଜକୁ ବଞ୍ଚେଇବା ପାଇଁ ଛୋଟ ନାଗଟି ମଧ୍ୟ ବଡ଼ ନାଗର ବେକକୁ କାମୁଡ଼ି ଧରିଲା । ଯେମିତିକି ସିଏ ଆଉ ତା ମୁଣ୍ଡକୁ ଧରି ନପାରିବ । ଏହି କାମୁଡ଼ା କାମୁଡ଼ି ଅତ୍ୟନ୍ତ ଭୟଙ୍କର ରୂପ ନେଇଥିଲା ଏବଂ ବଡ଼ ନାଗଟି ଛୋଟ ନାଗକୁ କାମୁଡୁଥିବା ଅବସ୍ଥାରେ ବିଭିନ୍ନ ଦିଗକୁ ଭିଡ଼ି ନେଉଥିଲା । ଏହି ଲଢ଼େଇ ପ୍ରାୟ ୧୦ ମିନିଟ୍ ଚାଲିବା ପରେ ସାପ ୨ଟି ଅଲଗା ହେଇଥିଲେ ଏବଂ ସୁଜିତ ସାପ ଦୁଇଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ।

 Two King Cobra Face Off In Sunabeda

ନାଗ ସାପ ନିଜ ଭିତରେ କାମୁଡ଼ା କାମୁଡ଼ି ହେଲେ ବିଷ କ୍ରିୟା ହେବ କି ନାହିଁ ? ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ‘ନାଗ ସାପଙ୍କ କ୍ଷେତ୍ରରେ କାନିବାଲିଜିମ୍ ଦେଖାଯାଏ ଏବଂ ଗୋଟିଏ ନାଗ ଅନ୍ୟ ନାଗକୁ ଖାଇବା ଏକ ସାଧାରଣ ଘଟଣା । ତେବେ ବୈଜ୍ଞାନିକ ମାନେ ଏବେ ମଧ୍ୟ ଏକ ନାଗର ଶରୀର ଉପରେ ଅନ୍ୟ ଏକ ନାଗ ବିଷର ପ୍ରତିକ୍ରିୟା ଉପରେ ଦ୍ଵନ୍ଦ୍ୱରେ ଅଛନ୍ତି । କାରଣ ବିଷ ତିଆରି ହେବା ଏକ ଜଟିଳ ପ୍ରକ୍ରିୟା ଏବଂ ସାପ ମାନେ ନିଜର ବିଷକୁ କେବଳ ଶିକାର ପାଇଁ ଖର୍ଚ୍ଚ କରିଥାନ୍ତି । ଅଯଥାରେ ବିଷ ଖର୍ଚ୍ଚ କରିବା ସାପ ମାନେ ପସନ୍ଦ କରନ୍ତି ନାହିଁ । ଏଣୁ ସୁନାବେଡ଼ାରେ ଲଢେଇ କରିଥିବା ଦୁଇ ସାପଙ୍କ ଶରୀରରେ ପରସ୍ପର ବିଷ ଛାଡ଼ି ଥିଲେ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରି କହି ପାରିବା ନାହିଁ । କିନ୍ତୁ ଯଦି କେଉଁ ବି ସାପ ମରିଥାନ୍ତା, ଆମେ ନିଶ୍ଚୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ପୋଷ୍ଟମର୍ଟମ କରିବା ପାଇଁ ସବୁ ପ୍ରସ୍ତୁତି କରି ରଖିଥିଲୁ । ତେବେ ଯାହା ହେଉ ସାପ ଦୁଇଟି ବଞ୍ଚି ଯାଇଛନ୍ତି ।‘

 Two King Cobra Face Off In Sunabeda

ସାପଙ୍କୁ ଉଦ୍ଧାର କରିବା ପରେ ସୁଜିତଙ୍କ ମନରେ ସ୍ୱାଭାବିକ କୌତୁହଳ ସୃଷ୍ଟି ହେଲା ଯେ, ନାଗ ସାପ ଦୁଇଟି ପରସ୍ପରକୁ କାମୁଡିଥିବାରୁ ସେମାନେ ବଞ୍ଚିବେ ନା ନାହିଁ ? ସମାନ ପ୍ରଜାତିର ସାପ ହୋଇଥିବା ହେତୁ ନିଜ ଉପରେ ନାଗ ସାପ ବିଷ କାମ କରିବ ନା ନାହିଁ ? ସୁଜିତଙ୍କ ପାଇଁ ଏହା ଏକ ନୂଆ ଘଟଣା ହୋଇଥିବାରୁ ସେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପ ଦୁଇଟିକୁ ଗୋଟିଏ ରାତି ବଜରଭେସନରେ ରଖି ସକାଳେ ଅବସ୍ଥା ଦେଖି ଜଙ୍ଗଲରେ ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ସକାଳେ ସୁଜିତ ଉଭୟ ସାପ ଜୀବିତ ଓ ସୁସ୍ଥ ଦେଖିବାକୁ ପାଇଥିଲେ । ଏହା ପରେ ସାପ ୨ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ ।

Leave a Reply