ପିପିଲ ନିର୍ବାଚନ ପୂର୍ବରୁ ସତ୍ୟବାଦୀରେ ବିଜେପି ଦୁଇଫାଳ, ମାରପିଟ୍-ଥାନା ପୋଲିସ

1 min read

ପୁରୀ: ଆଉ କିଛି ଦିନ ପରେ ପିପିଲିରେ ହେବାକୁ ଯାଉଛି ଉପ ନିର୍ବାଚନ । ସବୁ ଦଳ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ବିଜେପି ମଧ୍ୟ ମୈଦାନରେ ଅଛି । କିନ୍ତୁ ଏହାରି ଭିତରେ ଏମିତି ଗୋଟିଏ ଘଟଣା ଘଟିଛି,ଯାହାର ଯଦିଓ ପିପିଲି ନିର୍ବାଚନ ମଣ୍ଡଳି ସହିତ କୌଣସି ସମ୍ପର୍କ ନାହିଁ ତଥାପି ଗୋଟିଏ କଥା ସ୍ପଷ୍ଟ ଯେ, ଜିଲ୍ଲା ବିଜେପିରେ ସବୁକିଛି ଠିକ୍ ଚାଲୁ ନାହିଁ । ନେତା-ନେତାଙ୍କ ମଧ୍ୟରେ ଚାଲିଛି ମାରପିଟ୍ । ମାମଲା ଥାନାରେ ପହଂଚିଲାଣି ।

ସତ୍ୟବାଦୀରେ ଶନିବାର ଦିନ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଗଡିଶାଗଦା ଥାନାରେ ଏତଲା ମଧ୍ୟ ହୋଇଛି । ଏତଲାରେ ସତ୍ୟବାଦୀରୁ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓମ ପ୍ରକାଶ ମିଶ୍ରଙ୍କ ନାମ ରହିଛି । ସୂଚନା ଅନୁସାରେ, ରାଜ୍ୟ ବିଜେପିର ବରିଷ୍ଠ ନେତା ସୁରଥ ବିଶ୍ୱାଳଙ୍କ ମା’ଙ୍କର ୪ ଦିନ ତଳେ ଦେହାନ୍ତ ହୋଇଥିଲା । ସମବେଦନା ଜଣାଇବା ପାଇଁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ରାଜ୍ୟ ବିଜେପିର କିଛି ବରିଷ୍ଠ ନେତା ସୁରଥଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେଠାରେ ବିବାଦ ସୃଷ୍ଟି ହୋଇଥଲା । ଏତଲାକାରୀ ଜିଷ୍ଣୁଜୟ ମତ୍ତଗଜସିଂ(ଜଇ)ଙ୍କ ଅନୁସାରେ ଓମ୍‌ ପ୍ରକାଶଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ମଜଗଜସିଂଙ୍କ ମୁଣ୍ଡ ଓ ନାକରେ ଗଭୀର ଆଘାତ ଲାଗିଛି ।

ଅଭିଯୋଗ ଅନୁସାରେ ଆକ୍ରମଣରେ ୩୦ରୁ ଅଧିକ ବ୍ୟକ୍ତି ସାମିଲ ଥିଲେ । ଆକ୍ରମଣ କାଳରେ ଓମ ପ୍ରକାଶ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ତାଙ୍କ ତଣ୍ଟିଚିପି ତଳେ ପକାଇ ଦେବା ସହିତ ତାଙ୍କଠାରୁ ୨୭ଶହ ଟଙ୍କା ଛଡାଇ ନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଗୋଷ୍ଠୀ ସହିତ ଓମ ପ୍ରକାଶଙ୍କ ରାଜନୈତିକ ମତପାର୍ଥକ୍ୟ ଥିବା କୁହାଯାଉଛି ।

Leave a Reply