spot_img

Latest Posts

ବୈଠକ ଅଧାରୁ ଉଠିଗଲେ ଟ୍ରମ୍ପ!

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନେଇ ପୁଣି ଥରେ ଅନିଶ୍ଚୟତା ଦେଖାଦେଇଛି। ଇରାନ ସହ ଏକ ସମ୍ଭାବ୍ୟ ଚୁକ୍ତିକୁ ନେଇ ହ୍ବାଇଟ୍ ହାଉସରେ ଚାଲିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଧାରୁ ଉଠି ଆସିବା ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ହ୍ବାଇଟ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲିବା ପରେ, କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହିଁ ଟ୍ରମ୍ପ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ। ତାଙ୍କର ଏହି ପଦକ୍ଷେପ ସମ୍ଭାବ୍ୟ ଶାନ୍ତି ପ୍ରକ୍ରିୟା ଉପରେ ଏକ ପ୍ରତିବନ୍ଧକ ସୃଷ୍ଟି କରିଛି। ତେବେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ଥିଲା ।
. ଇରାନର ଆଣବିକ କାର୍ଯ୍ୟକ୍ରମ
. ହର୍ମୁଜ ପ୍ରଣାଳୀ (Strait of Hormuz) ପୁନର୍ବାର ଖୋଲିବା
ତେବେ ଆମେରିକା ପକ୍ଷରୁ ଉପସ୍ଥାପନ କରାଯାଉଥିବା କଡ଼ା ସର୍ତ୍ତ ଓ ଦାବିଗୁଡିକୁ ଗ୍ରହଣ କରିବାକୁ ଇରାନ ସେପଟେ ସେଭଳି କୌଣସି ଆଗ୍ରହ ପ୍ରକାଶ କରିନାହିଁ।

ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ କହିବା ଅନୁଯାୟୀ, ଆମେରିକା ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ଅବଧିକୁ ୬୦ ଦିନ ପାଇଁ ବୃଦ୍ଧି କରିବା ସକାଶେ ଏକ ପ୍ରାଥମିକ ରାଜିନାମା ହୋଇଥିଲା। କିନ୍ତୁ ବାସ୍ତବତା ହେଉଛି, ଏହି ପ୍ରସ୍ତାବ ଉପରେ ନା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସ୍ବାକ୍ଷର କରିଛନ୍ତି, ନା ଇରାନର ସୁପ୍ରିମ ଲିଡର ମୋଜତାବା ଖାମେନେଇ ଏହାକୁ ମଞ୍ଜୁରୀ ଦେଇଛନ୍ତି।

ସେପଟେ ସ୍ଥିତି ବିଗିଡ଼ିବା ପରେ ଟ୍ରମ୍ପଙ୍କ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଶାନ୍ତି ଚୁକ୍ତି ସଫଳ ନହୁଏ, ତେବେ ଆମେରିକା ପକ୍ଷରୁ ଇରାନ ଉପରେ ପୁଣି ଥରେ ସାମରିକ ଆକ୍ରମଣ ଆରମ୍ଭ କରାଯିବ।

ତେବେ ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପଶ୍ଚିମ ଏସିଆର ରାଜନୀତି ଓ ଯୁଦ୍ଧ ସ୍ଥିତି କେଉଁ ମୋଡ଼ ନେଉଛି, ତାହା ଉପରେ ସାରା ବିଶ୍ୱର ନଜର ରହିଛି।

Latest Posts

Don't Miss