ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣଙ୍କ ମୃତ୍ୟୁ

1 min read

କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ପୋଖରୀପାଣି ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ୍ ରାସ୍ତାରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । MVI ଚେକିଂ ଚାଲିଥିବା ବେଳେ RTO କର୍ମଚାରୀଙ୍କ ଉପରେ ମାଡ଼ିଯାଇଛି ଏକ ୧୪ ଚକିଆ ଟ୍ରକ୍ । ଟ୍ରକ୍ ଡ୍ରାଇଭରର ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଜଣଙ୍କର ଜୀବନ ଯାଇଛି ।

ଏଥିରେ ଆରଟିଓ ଅଫିସରେ କାର୍ଯ୍ୟରତ ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ୧୪ ଚକିଆ ଟ୍ରକଟି ଫେରାର ହୋଇଯାଇଛି । ଆଜି ସକାଳେ ବାଇପାସରେ ଏମଭିଆଇଙ୍କ ସମେତ ଆରଟିଓ କର୍ମଚାରୀ ଚେକିଂ କରୁଥିବା ସମୟରେ ଦୃତ ଗତିରେ ଆସୁଥିବା ୧୪ ଚକିଆ ଟ୍ରକକୁ ଅଟକାଇଥିଲେ । ଆରଟିଓଙ୍କ ଗାଡ଼ିର ଡ୍ରାଇଭର, ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ, ଗାଡ଼ିିଟି ନଅଟକାଇ ଡ୍ରାଇଭର ଉପରେ ଚଢ଼ି ଯାଇଥିଲା । ଚାପିଦେଇ ଆଗକୁ ପଳାଇଥିଲା ୧୪ ଚକିଆ ଟ୍ରକ୍ । ଏଥିରେ ସଂପୃକ୍ତ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ତେବେ ଆରଟିଓ କର୍ମଚାରୀ ଏ ସଂପର୍କରେ ପୋଲିସକୁ କୌଣସି ଖବର ନଦେଇ ମୃତ ଡ୍ରାଇଭରକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି। ପରେ ଖବର ପାଇ ପୋଲିସ ଘଟଣାର ଛାନ୍ ଭିନ୍ ଆରମ୍ଭ କରିଛି । ଟ୍ରକକୁ ଖୋଜିବାରେ ଲାଗିଛି ।

ଘଟଣାକୁ ଆରଟିଓ ଅଧିକାରୀ ଲୁଚାଇବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଆରଟିଓଙ୍କ କହିବା କଥା, ସେମାନେ କୌଣସି କାର୍ଯ୍ୟରେ ଆନନ୍ଦପୁର ଯାଉଥିବା ସମୟରେ ଡ୍ରାଇଭର ସେଠାରେ ଗାଡ଼ି ରଖି ରାସ୍ତାର ଆରପଟକୁ ଯାଇଥିଲେ । ରାସ୍ତାପାର ହେଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା ଆରଟିଓ କହିଛନ୍ତି । କିନ୍ତୁ ସ୍ଥାନୀୟ ଲୋକେ ଚେକିଂ ବେଳେ ଏଭଳି ଘଟିଥିବା କହିଛନ୍ତି । ତେଣୁ ସତ କିଏ କହୁଛି ତାକୁ ନେଇ ଉଠିଲାଣି ପ୍ରଶ୍ନ ।  ଯଦି ଗାଁ ଲୋକେ କହୁଛନ୍ତି ଯେ, ଚେକିଂ ବେଳେ ଏଭଳି ଘଟିଛି ତେବେ ଆରଟିଓ ଘଟଣାକୁ ଲୁଚାଇବାର କାରଣ କଣ ?

')}

Leave a Reply