ବାଲୁକା କଳା ମାଧ୍ୟମରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
1 min readଭୁବନେଶ୍ୱର: ବାଲୁକା କଳା ଜରିଆରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବାଲୁକା କଳା । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକା କଳାଟି ସୁନ୍ଦର ହୋଇଥିବା ବେଳେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ଅବସରରେ ନିର୍ମିତ ହୋଇଛି । ବାଲୁକା କଳା ମାଧ୍ୟମରେ ସୁଦର୍ଶନ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ କଳାକୃତିଟି ବେଳାଭୂମିରେ ସାଧାରଣ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିବା ଲକ୍ଷ କରାଯାଇଛି।
Tributes to the #TallMan late Shri #BijuPatnaik on his 105 th birth anniversary. My SandArt at Puri beach in Odisha. pic.twitter.com/I5K3N3hrga
— Sudarsan Pattnaik (@sudarsansand) March 5, 2021
ଅପରପକ୍ଷରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଅବସରରେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ଗଡ଼ିଛି ଶହ ଶହ ସାଇକେଲ । ଏଥିରେ ବହୁ ସଂଖ୍ୟାରେ ଯୁବକ ଯୁବତୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ପହଞ୍ଚିଛି । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।