ଭାଲୁ ମୁହଁରୁ ଝିଅ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲା ମାଆ

ମାଲକାନଗିରି: ମାଆ ମମତାର ଆଉ ଏକ କାହାଣୀ । ଆଗରୁ ଆମେ ଆପଣଙ୍କୁ ଯାଜପୁରର ଏକ ଖବର ଦେଇଥିଲୁ । ଯେଉଁଠି କୁନି ପୁଅକୁ ବଞ୍ଚାଇବା ଲାଗି ମାଆ ନାଗ ସାପ ସହ ଲଢ଼ି ଜୀବନ ହାରିଥିଲା । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଖବର କହୁଛୁ । ଏଠି ଝିଅ ପାଇଁ ମାଆ ଏକାକୀ ଲଢ଼ିଛି ଭାଲୁ ସହ । ତା’ ପୁଣି ଘଞ୍ଚ ଜଙ୍ଗଲ ଭିତରେ ।

ଏଥିସହ ପଢ଼ନ୍ତୁ: କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ମାଆର ମୃତ୍ୟୁ

ଖଇରପୁଟ ବ୍ଲକ ବଣ୍ଡାଘାଟିରେ ଘଟଛି ଏ ଘଟଣା । ସୂଚନା ଅନୁଯାୟୀ, ଆଜି ସକାଳେ ବଣ୍ଡାଘାଟି କିରସାନିପଡ଼ା ଗାଁର ସମାରୀ ଶିଶା ଏବଂ ତାଙ୍କ ଝିଅ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ । ଜଙ୍ଗଲ ଭିତରେ ହଠାତ୍ ଏକ ଭାଲୁ ଆସି ଝିଅକୁ ଆକ୍ରମଣ କରିଥିଲା । ଏହା ଦେଖି ଡରି ଯାଇ ନଥିଲେ ସମାରୀ । ବରଂ ଜଙ୍ଗଲି ଜନ୍ତୁ ଠାରୁ ଝିଅକୁ ବଞ୍ଚାଇବା ଲାଗି ଜୀବନକୁ ବାଜିରେ ଲଗାଇଥିଲେ ।

Tribal Mother Save His Girl Fighting With Bear In Bonda Ghat

ଭାଲୁ ସହ ସମାରୀ ବେଶ୍ କିଛି ସମୟ ଲଢ଼ିଥିଲେ । ଫଳରେ ଝିଅକୁ ଛାଡ଼ି ଦେଇ ମାଆକୁ ଆକ୍ରମଣ କରିଥିଲା ଭାଲୁ । କିଛି ସମୟ ଲଢ଼େଇ ପରେ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଭାଲୁ ଆକ୍ରମଣରେ ଗୁରୁତର ମାଆ ଓ ଝିଅଙ୍କୁ ପ୍ରଥମେ ଖଇରପୁଟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସମାରୀ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave a Reply