ଦୁବାଇରୁ ଭଦ୍ରକ ଭାୟା କୋଲକାତା ଦେଇ ଆସିଥିଲେ ଚତୁର୍ଥ କରୋନା ଆକ୍ରାନ୍ତ

1 min read

ଭୁବନେଶ୍ୱର: ବିଶ୍ୱ ଓ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ଅପରାହ୍ଣ ୩ଟା ସୁଦ୍ଧା ୨୦୩ ଦେଶରେ ସଂକ୍ରମଣ ବ୍ୟାପିଛି । ୮ ଲକ୍ଷ ୬୨ ହଜାର ୪୯୫ ଜଣ ସଂକ୍ରମିତ ହୋଇଛନ୍ତି । ୪୨ ହଜାର ୫୧୦ ଜଣଙ୍କ ମୃତ୍ୟୁ ହେଲାଣି । ଦେଶରେ ୧୫୯୦ ଜଣ ସଂକ୍ରମିତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଆସନ୍ତା ୨ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ରହିବ । କରୋନା ପାଖରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ ବୋଲି କହିଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

ଏବେ ଯାଏଁ ରାଜ୍ୟରେ ୬୧୦ଟି ନମୁନାର ରିପୋର୍ଟ ମିଳିଛି । ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସେ ତଥ୍ୟ ରଖିଛନ୍ତି । ଯୁବକ ଜଣଙ୍କ ୭ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ୧୮ ମାର୍ଚ୍ଚରେ ଦୁବାଇରୁ କୋଲକାତା EK 570 ବିମାନରେ ଆସିଥିଲେ । ସେଠାରୁ ଟ୍ୟାକ୍ସିରେ ଏକା ହାୱାଡ଼ା ଷ୍ଟେସନ ଆସିଥିଲେ । ପରେ ଇଷ୍ଟକୋଷ୍ଟ ଏକ୍ସପ୍ରେସ କୋଚ ନଂ- S 11ରେ ଭଦ୍ରକ ଆସିଥିଲେ । ଘରକୁ ଅଟୋରେ ଯାଇ ସଂଘରୋଧରେ ରହିଥିଲେ । ମାର୍ଚ୍ଚ ୩୦ରେ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିବା ବେଳେ ୩୧ ତାରିଖରେ ପଜିଟିଭ୍ ଆସିଥିଲା ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ କିଛି ଲୋକ ରାଜଧାନୀର ଶିକ୍ଷାନୁଷ୍ଠାନ ନାଁରେ କରୋନା ନେଇ ଗୁଜବ ସୃଷ୍ଟି କରୁଛନ୍ତି । ଗୁଜବ କରିବା ଏକ ପ୍ରକାର ଦେଶଦ୍ରୋହ କାର୍ଯ୍ୟ । ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ଆକ୍ରାନ୍ତ ବ୍ୟକ୍ତି ଓ ପରିବାରକୁ ଦୋଷ ଦେବା ନାହିଁ । ସନ୍ଦିଗ୍ଧ ବ୍ୟକ୍ତି ଲକ୍ଷଣକୁ ଲୁଚାଇଲେ ସେମାନେ ସୁପରସ୍ପ୍ରେଡର ହୋଇଯିବେ । କରୋନା ଆକ୍ରାନ୍ତ ବ୍ୟକ୍ତି ଓ ପରିବାରକୁ ସାହାଯ୍ୟ କରିବା ଉଚିତ୍ ବୋଲି ବାଗଚୀ କହିଛନ୍ତି ।

Leave a Reply