ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍, ସିସିଟିଭି କ୍ୟାମେରା ମଧ୍ୟ ଲାଗିବ

ଭୁବନେଶ୍ୱର: ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ । ୩୦୦ ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାସହ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ମୋ ସ୍କୁଲ ଅଭିଯାନ ଓଡ଼ିଶା ବିଜ୍ଞାନ ଏକାଡେମୀ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ସହ ମିଳିତ ଭାବରେ ମୋବାଇଲ ସାଇନ୍ସ ଏକଜିବିସନ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଗଣିତ ଜ୍ଞାନ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ମ୍ୟାଥମେଟିସ୍କ ଆଣ୍ଡ ଆପ୍ଲିକେସନ ସହ ମୋ ସ୍କୁଲ ହାତ ମିଳାଇଛି ।

ଏହାସହ ମ୍ୟାଥମେଟିକ୍ସ ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ମୋ ସ୍କୁଲ ଆଭିଯାନର ୩୫ ତମ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସମସ୍ତ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରିଷଦ ବୈଠକରେ ଓଡିଶାର ୨୬ଟି ଜିଲ୍ଲାର ମୋଟ ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାହାକି ୧୫୫୭ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ ।

ଏହାସହ ପ୍ରତ୍ୟେକ ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିବ । ବଜ୍ରପାତରୁ ରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୨୧୫୯ ହାଇସ୍କୁଲର ରୂପାନ୍ତରଣ କରିବାକୁ ନିଷ୍ପତ୍ତି ହୋଇଛି ।