ଭିତର ରତ୍ନଭଣ୍ଡାରରୁ ସରିଲା ଅଳଙ୍କାର ସ୍ଥାନାନ୍ତର

ପୁରୀ: ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଲକ୍ କରାଯାଇଛି । ଅଳଙ୍କାର ସ୍ଥାନାନ୍ତରର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଟିମକୁ ସାଢ଼େ ୭ ଘଣ୍ଟା ସମୟ ଲାଗିଥିଲା ।

ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଖଟଶେଯ ଗୃହକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ ହୋଇଛି । ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି ।’

ଆଗକୁ ସେ କହିଛନ୍ତି, ‘୩ଟି ସିନ୍ଦୁକ ମଧ୍ୟରୁ ଦୁଇଟି କାଠ ଆଲମିରା ଥିବା ବେଳେ ଗୋଟିଏ ଲୁହାରେ ଥିଲା । ୩ଟି ଯାକ ସିନ୍ଦୁକରେ ଥିବା ସମସ୍ତ ଅଳଙ୍କାରକୁ ଆଲମିରାକୁ ସ୍ଥାନାନ୍ତର କରାଯାଇଛି ।’

ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଥିବା ଖବରକୁ ଗୁଜବ କହିଛନ୍ତି ତଦାରଖ କମିଟଇ ସଦସ୍ୟ । ସେମାନଙ୍କ କହିବା ଅନୁସାରେ, ଭିତର ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ । ଏହା କେବଳ କିଛି ୟୁଟ୍ୟୁବରଙ୍କ ମନଗଢା କାହାଣୀ । ଏଥିରୁ ନିବୃତ ରହିବାକୁ ୟୁଟ୍ୟୁବରଙ୍କୁ ପରାମର୍ଶ ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ରାଜ୍ୟବାସୀ ମଧ୍ୟ ଏଭଳି ମନଗଢା କାହାଣୀ ଉପରେ ବିଶ୍ବାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ନେଇ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକାରେ କୌଣସି ବ୍ୟବସ୍ଥା ନାହିଁ । ଏପରିକି ଏଏସଆଇ ମଧ୍ୟ ଲେଜର ସ୍କାନିଂ ପାଇଁ ଅଧିକୃତ ନୁହେଁ । କମିଟିର କୌଣସି ସଦସ୍ୟ ଆଖିରେ କୌଣସି ସୁଡଙ୍ଗ କିମ୍ବା ଗପ୍ତ କୋଠରୀ ଦେଖି ନାହାଁନ୍ତି । ଭିତର ରତ୍ନଭଣ୍ଡାରରେ କୌଣସି ସରୀସୃପ ନାହାଁନ୍ତି ବୋଲି ମଧ୍ୟ କମିଟିର ସଦସ୍ୟମାନେ କହିଛନ୍ତି । ଏଥିସହିତ ସ୍ନେକ ହେଲ୍ପ ଲାଇନର ସଦସ୍ୟ ରତ୍ନଭଣ୍ଡାର ବାହାରେ ଥିଲେ ବି ତାଙ୍କର ଆବଶ୍ୟକତା ପଡିନଥିଲା ।