ଆଫଗାନିସ୍ତାନ୍‌ କବ୍‌ଜା ପରେ ତାଲିବାନ ନେତାଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ:  ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ତାଲିବାନ ନେତା । ଆମେ ଖୁବ୍‌ଶୀଘ୍ର ଦୃଢ ସରକାର ଗଠନ କରିବାକୁ ଯାଉଛୁ । ଆଫଗାନିସ୍ତାନ ପଡୋଶୀ ଦେଶ ସହ ଭଲ ସମ୍ପର୍କ ରକ୍ଷା କରିବ । ଅନ୍ୟ କୌଣସି ଦେଶ ପ୍ରତି ଶତ୍ରୁଭାବ ରଖିବ ନାହିଁ ବୋଲି ତାଲିବାନ ଘୋଷଣା କରିଛି ।

ତାଲିବାନର ମୁଖପାତ୍ର ଜବିବୁହ୍ଲା ମୁଜାହିଦ୍‌ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ତାଲିବାନ ସରକାର ଗଠନ କଲେ ଇସଲାମିକ୍‌ ଆଇନ୍‌ ଅନୁସାରେ ମହିଳା ମାନଙ୍କର ମଧ୍ୟ ପୂର୍ବ ଭଳି ସ୍ୱତନ୍ତ୍ର ଅଧିକାର ରହିବ । ସମାଜର ବିକାଶ ପାଇଁ ମହିଳାଙ୍କ ଭୂମିକା ରହିବ । କିନ୍ତୁ ଗୋଟିଏ ସୀମା ପର୍ଯ୍ୟନ୍ତ ମହିଳାଙ୍କୁ ଅଧିକାର ମିଳିବ ବୋଲି ତାଲିବାନ ଘୋଷଣା କରିଛି । ସେହିପରି ଅନ୍ୟଦେଶ ପ୍ରତି ବନ୍ଧୁତା ସ୍ଥାପନ ପାଇଁ ଚେଷ୍ଟା କରାଯିବ । ଅସରଫ ଗନି ସରକାର ଅତି ଦୁର୍ବଳ ଥିଲା । ସେମାନେ ଦେଶରେ ଶାନ୍ତି ପ୍ରତିଷ୍ଠା ଏବଂ ସ୍ଥାୟୀ ସରକାର ଗଠନ କରିବାରେ ଫେଲ ମାରିଥିଲେ । ତେବେ ୧୯୯୦ ଏବଂ ବର୍ତ୍ତମାନର ତାଲିବାନ ସମ୍ପର୍କରେ ମତ ରଖିଛନ୍ତି ମୁଖପାତ୍ର ଜବିବୁହ୍ଲା । ପୂର୍ବ ତାଲିବାନ ଭଳି ଏବେ ସେହି ବିଶ୍ୱାସ ରହିଛି । କିନ୍ତୁ ବଦଳୁଥିବା ସମୟ ଅନୁସାରେ ଆମର ଲକ୍ଷ୍ୟ ବଦଳାଇଛୁ । ତାଲିବାନ ନିଜର ଅନୁଭବ ଅନୁସାରେ ଆଫଗାନିସ୍ତାନରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି ।

ସେପଟେ ଆଫଗାନିସ୍ତାକୁ ତାଲିବାନ ସମ୍ପୂର୍ଣ୍ଣ ରୂପେ କବଜା କରିସାରିବା ପରେ ଆଫଗାନ୍ ବାସିନ୍ଦା ଏବେ ଚିନ୍ତାରେ ପଡିଛନ୍ତି । ଅନେକ ଲୋକ ଜୀବନ ବିକଳରେ ଦେଶ ଛାଡି ଚାଲି ଯିବା ପାଇଁ ଚାହୁଁଥିବା ଦେଖିବାକୁ ମିଳିଛି । ପ୍ରାୟ ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ଆଫଗାନିସ୍ତାନରୁ ସ୍ବଦେଶ ଫେରାଇ ଆଣୁଛନ୍ତି । ଏପଟେ ଅମରୁଲ୍ଲା ସାଲେହ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଘୋଷାଣା କରିଛି । ସେପଟେ ଆଜି ଆଫଗାନିସ୍ତାନକୁ ମିଳିପାରେ ନୂଆ ରାଷ୍ଟ୍ର ମୁଖ୍ୟ । ମୁଲ୍ଲା ଅବଦୁଲ ଘନି ବରାଦର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇପାରନ୍ତି  ।

Leave a Reply