ଦୁର୍ଘଟଣା ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍

1 min read

ବ୍ୟୁରୋ ରିପୋର୍ଟ: ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍ । ପ୍ରଥମ ପର୍ଯ୍ୟାୟରେ ଚଳାଚଳ କଲା ପ୍ରଶାନ୍ତି ଏକ୍ସପ୍ରେସ । ସିଗନାଲ ଓଭରକ୍ରସିଂରୁ ଅଘଟଣ ଘଟିଥିବା କହିଛନ୍ତି ସିପିଆରଓ  । ଖୁବ୍ ଶୀଘ୍ର ଅପ-ଡାଉନ ଲାଇନରେ ଟ୍ରେନ ଚଳାଚଳ କରିବ ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲଓ୍ବେ ସିପିଆରଓ  । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୧୩ ମୃତକଙ୍କ ମଧ୍ୟରେ ୨ ଜଣ ରେଳ କର୍ମଚାରୀ ଅଛନ୍ତି । ମୃତକଙ୍କ ମଧ୍ୟରୁ ଏଯାଏ ୧୨ ଜଣଙ୍କର ମିଳିଛି ପରିଚୟ । ସେହପରି ଅନ୍ୟ ଜଣେ ଯାତ୍ରୀଙ୍କର ଏଯାଏଁ ମିଳିନି ପରିଚୟ ।

ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ଜଣାପଡିଛି । ଡାକ୍ତରଖାନାରେ ୨୯ ଜଣଙ୍କର ଚାଲିଛି ଚିକିତ୍ସା । ରେଳଧାରଣାରୁ ହଟାଯାଇଛି ଦୁର୍ଘଟଣାଗ୍ରସ୍ତ ବଗି । ଚିଫ୍ ସିକ୍ୟୁରିଟି କମିଶନରଙ୍କ ସହ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେଫଟି କମିଶନରଙ୍କ କହିବା ହେଲା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେଉଛି ଯେ, ଲୋକ ପାଇଲଟଙ୍କ ସିଗନାଲ୍ ଓଭରଟ୍ରାକିଂ କରିବା କାରଣରୁ ଦୁର୍ଘଟଣା ଘଟିଛି । ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି । ଟ୍ରେନ୍ ଦୁର୍ଘଟଣା ପରେ ୪୫ଟି ଟ୍ରେନ୍ ବାତିଲ ହୋଇଛି । ୨୬ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଥିବା ବେଳେ, ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।

ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ କିମ୍ବା ବସ ବ୍ୟବସ୍ଥା କରାଯାଉଛି  ।  ବିଶାଖାପାଟନା ପଲାସା ପାସେଞ୍ଜର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେସନକୁ ନିଆଯାଇଛି । ସେହିପରି ବିଶାଖାପାଟଣା ରାୟଗଡା ପାସେଞ୍ଜର ଟ୍ରେନର ୯ଟି ବଗିକୁ ପୂର୍ବ ଷ୍ଟେସନ କଣ୍ଟକପାଲିକୁ ଅଣାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଭୁବନେଶ୍ୱରରୁ ଏକ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ବିଶାଖାପାଟଣା-ରାୟଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଥିଲା ।

ବିଶାଖାପାଟଣା ପଲାସା ପାସେଞ୍ଜର ଟ୍ରନର ପଛ ୩ଟି ବଗି ଓ ବିଶାଖାପାଟଣା ରାୟଗଡ଼ା ପାସେଞ୍ଜର ସ୍ପେଶାଲର ଇଞ୍ଜିନ ସମେତ ଆଗ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଜୀବନ ବଞ୍ଚାଇବା ଲାଗି ବହୁ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ପଡ଼ି ଏଣେତେଣେ ଦୌଡ଼ି ପଳାଇଥିଲେ । ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।