ପଶ୍ଚିମବଙ୍ଗରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା : କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ଧକ୍କା ମାରିଲା ମାଲଗାଡି ଟ୍ରେନ୍

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ସୋମବାର ସକାଳୁ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଘା ଏକ୍ସପ୍ରେସର ଏକ ମାଲଗାଡ଼ି ସହିତ ହୋଇଥିବା ଧକ୍କା ବାହନଗା ଦୁର୍ଘଟଣାକୁ ମନେ ପକାଇ ଦେଇଛି । ପ୍ରାଥମିକ ସୂଚନା ଅନୁସାରେ ଦାର୍ଜିଲିଂର ରଙ୍ଗାପାଣି ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସିଆଲଦା ଯାଉଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ମାଲଗାଡି ପଛରୁ ଧକ୍କା ମାରିଥିଲା । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି ।

ଧକ୍କା ଏତେ ତୀବ୍ର ଥିଲା ଯେ, କାଞ୍ଚନଜଙ୍ଘା ଏକ୍ସପ୍ରେସର ଗୋଟିଏ ବଗି ହାୱାରେ ଲଟକି ରହିଛି । ଦୁର୍ଘଟଣାରେ ଏକ୍ସପ୍ରେସର ପଛ ଭାଗର ତିନୋଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଦୁର୍ଘଟଣା ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପଂହଚିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି । ଏକ୍ସ’ରେ ପୋଷ୍ଟ କରି ମମତା ଲେଖିଛନ୍ତି ଯେ, ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ଦଳ ସହିତ ଅନ୍ୟମାନଙ୍କୁ ପଠାଯାଇଛି । ଦୁର୍ଘଟଣାସ୍ଥଳରେ ଏସପି ଓ ଜିଲ୍ଲାପାଳ ଉପସ୍ଥିତ ଥିବା ନେଇ ସେ ସୂଚନା ଦେଇଛନ୍ତି ।