ନନ୍ଦିଘୋଷ ବ୍ୟୁରୋ : ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ସମ୍ପର୍କିତ ମାମଲାରେ ଜନସ୍ୱାର୍ଥ ମାମଲା। ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ ଆଲାଏନ୍ସ’ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା PIL ଉପରେ ଶୁଣାଣି ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହତା ଉପସ୍ଥିତ ହୋଇଥିଲେ। ସେ କହିଥିଲେ ଯେ ସରକାର ଏହାକୁ ଏକ ଗୁରୁତର ବିଷୟ ଭାବେ ଗ୍ରହଣ କରୁଛନ୍ତି।
ଆଇନଜୀବୀ ଏଚ୍.ଏସ୍. ଫୁଲ୍କା କହିଛନ୍ତି, “ଭାରତୀୟ ଆଇନ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ଜଣେ ଶିଶୁ କୌଣସି ଚୁକ୍ତିରେ ସ୍ୱାକ୍ଷର କରିବାକୁ ସକ୍ଷମ ନୁହେଁ। କେବଳ ଶିଶୁର ମାତାପିତା ଏଭଳି ଚୁକ୍ତିରେ ସ୍ୱାକ୍ଷର କରିପାରିବେ। ୧୮ ବର୍ଷରୁ କମ୍ ପିଲାଙ୍କ ସହ କରାଯାଇଥିବା ଏଭଳି ଚୁକ୍ତିର କୌଣସି ବୈଧତା ନାହିଁ।” ସେ ଆହୁରି କହିଛନ୍ତି ଯେ, ଆଜି ସରକାର ସୁପ୍ରିମକୋର୍ଟଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ ଭାରତୀୟ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏଥିପାଇଁ ସରକାର ଖୁବଶୀଘ୍ର ଏକ ଆଇନଗତ ଢାଞ୍ଚା ଆଣିବେ। ଏହି ଢାଞ୍ଚା ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ଶିଶୁଙ୍କ ସହ ସୋସିଆଲ୍ ମିଡିଆ ମଧ୍ୟସ୍ଥ ସଂସ୍ଥା ଓ ପ୍ଲାଟଫର୍ମ ଚୁକ୍ତି କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ। ସରକାର ଆଶ୍ୱାସନା ଦେଇଛନ୍ତି, ଭାରତୀୟ ଆଇନକୁ ସମ୍ମାନ ଦିଆଯିବ। ଖୁବଶୀଘ୍ର ଏନେଇ ନିର୍ଦ୍ଦେଶ ଜାରି କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ, ଯାହାଦ୍ୱାରା ୧୮ ବର୍ଷରୁ କମ୍ ଶିଶୁ କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସହ ଚୁକ୍ତିରେ ସ୍ୱାକ୍ଷର କରିପାରିବ ନାହିଁ। ଏଭଳି ଚୁକ୍ତିରେ ସ୍ୱାକ୍ଷର କରିବାକୁ କେବଳ ଶିଶୁର ମାତାପିତା ହିଁ ସକ୍ଷମ।

