ଏନଡିଏ ସରକାରରେ ବଢିଚାଲିଛି ଦର, ରାଜ୍ୟ ସରକାରଙ୍କୁ ଦାୟୀ କଲା ବ୍ଯବସାୟୀ ସଂଘ

ଭୁବନେଶ୍ବର: ଆକାଶ ଛୁଉଁଛି ଦରଦାମ । ସ୍ଥାଣୁ ପାଲଟଛନ୍ତି ସରକାର । ଦର ନିୟନ୍ତ୍ରଣ ପାଇଁ ନିଆଯାଉନି ପଦକ୍ଷେପ । ଏନଡିଏ ସରକାର ଶାସନକୁ ଆସିବା ପରେ ଏଭଳି ଦରବୃଦ୍ଧି ଘଟି ଚାଲିଛି। ଦେଶକୁ ଏବେ ଏକାଧିକ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଛନ୍ତି ଓ ଦରବୃଦ୍ଧି କରୁଛନ୍ତି । ଦରବୃଦ୍ଧି ହ୍ରାସ ନହେବା ଲାଗି ସରକାରଙ୍କୁ ସଂପୂର୍ଣ୍ଣ ଦୋଷ ଦେଇଛି ରାଜ୍ଯ ବ୍ଯବସାୟୀ ସଂଘ । ରାଜ୍ୟ ଯୋଗାଣ ମନ୍ତ୍ରୀ ଦରଦାମ ବୃଦ୍ଧିକୁ ନେଇ କହୁଛନ୍ତି ଗୋଟିଏ କଥା କିନ୍ତୁ ହେଉଛି ଆଉ ଗୋଟିଏ କଥା। ତେଣୁ ଲୋକେ ଏସବୁକୁ ଆଉ ଗୁରୁତ୍ୱ ଦେବେ ନାହିଁ ବୋଲି କହିଛି ବ୍ୟବସାୟୀ ସଂଘ।

କେନ୍ଦ୍ର କି ରାଜ୍ୟ ସରକାର ଯେଉଁ କାରଣ ଯୋଗୁ ଉତ୍ପାଦନ କମୁଛି ସେ ସମ୍ପର୍କରେ ଜାଣିବା ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଦରଦାମ ନିୟନ୍ତ୍ରଣ ଓ ଉତ୍ପାଦନ ବୃଦ୍ଧି ପାଇଁ ସରକାର ଆନ୍ତରିକତା ନଥିବାରୁ ଲୋକେ ଏହାର ପରିଣାମ ଭୋଗୁଛନ୍ତି ବୋଲି କହିଛି ବ୍ଯବସାୟୀ ସଂଘ । ଓଡ଼ିଶାରେ ପନିପରିବା ଆବଶ୍ୟକତାର ୨୫ ପ୍ରତିଶତ ବି ରାଜ୍ୟରେ ଉତ୍ପାଦନ ହେଉ ନାହିଁ। ସରକାର କଣ କରୁଛନ୍ତି ସେ କଥା ଜଣାପଡୁନି ବୋଲି ଅଭିଯୋଗ ହୋଇଛି। ଭୋଟରେ ଏହାର ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଚେତାଇ ଦେଇଛି ସଂଘ। ଛୋଟ ବ୍ୟବସାୟୀ ମାନେ ମଧ୍ୟ ଲଗାତର ଦରବୃଦ୍ଧିର ସ୍ଥିତିକୁ ନେଇ ବ୍ୟାପକ ଅସନ୍ତୋଷ ଝାଡିଛନ୍ତି ।

ଦରଦାମ ବୃଦ୍ଧିକୁ ନେଇ ଲୁହ ଗଣାଇଲେଣି ଲୋକ । ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଦରଦାମ କୌଣସି ଦିନ ବି କମିବା ନାଁ ଧରୁନି । ସରକାରଙ୍କୁ ନିବେଦନ କରି କରି ମଧ୍ୟ କିଛି ହେଉ ନାହିଁ। ବିଜେଡି ସରକାର ସମୟରେ ସବୁ ନିୟନ୍ତ୍ରଣରେ ଥିଲା। ଏବେ କିନ୍ତୁ ସବୁ ନିୟନ୍ତ୍ରଣ ବାହାରେ। ସେପଟେ ସିଟିଜେନସ ଫୋରମ ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ନରହିବା ପାଇଁ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ।

ଦରଦାମ ବୃଦ୍ଧିର ପ୍ରକୃତ କାରଣ ସମ୍ପର୍କରେ ଖୁବ ଶୀଘ୍ର ପତ୍ରିକା ଓ ୱେବ ଚ୍ୟାନେଲ କରିବ ବ୍ୟବସାୟୀ ସଂଘ। ଏହି ଚ୍ୟାନେଲ ମାଧ୍ୟମରେ ଦରବୃଦ୍ଧିର କାରଣ ଓ ଦାୟୀ କିଏ ସେସବୁର ପର୍ଦ୍ଦାଫାସ କରାଯିବ। ଲୋକେ ଉପଯୁକ୍ତ ମୂଲ୍ୟରେ କିଭଳି ଉପଯୁକ୍ତ ଜିନିଷ ପାଇବ ସେ ନେଇ ସବୁ ବ୍ଯବସ୍ଥା କରାଯିବ ବୋଲି କହିଛି ସଂଘ ।