ଓଡିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ, ୧୯ ଦକ୍ଷ ଅଧିକରୀ ସମ୍ମାନିତ

ଭୁବନେଶ୍ବର: କଟକରେ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଟିତ ହୋଇଛି । କଟକ ଓଏସଏପି ଷଷ୍ଠ ବାଟାଲିଅନରେ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ଡିଜିପି ଅଭୟ । ବିଗତ ବର୍ଷ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ରାଜ୍ୟ ପୋଲିସ । ୨୦୨୦ ରେ ନିଶା ଦ୍ରବ୍ୟ ଜବତ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି ପୋଲିସ । ୪୦୦୦ ଫେରାର ଏନବିଡବ୍ଲୁ ଉଆରେଣ୍ଟିଙ୍କୁ ଗିରଫ କରାଯାଇଛି। ନକ୍ସଲ ଦମନ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିଛି ଓଡିଶା ପୋଲିସ । କୋଭିଡ ଯୁଦ୍ଧରେ ଓଡିଶା ପୋଲିସ ଅବଦାନ ଅତୁଳନୀୟ ଥିବାରୁ ଡିଜିପି ପ୍ରଶଂସା କରିଛନ୍ତି ।
ଭୁବନେଶ୍ୱର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ମଧ୍ୟ ପାଳିତ ହୋଇଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। କମିସନରେଟ ପୋଲିସର 4ଟି ବନ୍ଧୁକ ଧାରୀ ପୋଲିସଙ୍କ ଦ୍ବାରା ତ୍ରୁଫ ପରେଡ଼ କରାଯାଇଥିଲା ।
ଓଡିଶା ପୋଲିସ ଗଠନ ହେବାର ୮୬ ବର୍ଷ ମଧ୍ୟରେ ଓଡିଶା ପୋଲିସ ଦକ୍ଷ ଭାବରେ ତାର କାର୍ଯ୍ୟ ପ୍ରତିପାଦିତ କରିଛି। ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା ଏବଂ ମହାମାରୀ ସମୟରେ ପୋଲିସ ନିଜର କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କରିଛି। ଆଜିର ଦିନରେ ସମସ୍ତେ ସେବାମନୋଭାବ ରଖି କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ ପୋଲିସ କମିଶନର ଆହ୍ବାନ ଦେଇଛନ୍ତି।
ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପୋଲିସ କମିଶନର ପାଠ କରିଥିଲେ। ଶେଷରେ ସେବା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ୧୯ ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି।