spot_img

Latest Posts

କଟକ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀ ଫିସ୍ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଦେୟମୁକ୍ତ ପାଠାଗାର ଦାବି

ନନ୍ଦିଘୋଷ ବ୍ୟୁରୋ : ସରକାରୀ ଲାଇବ୍ରେରୀରେ ବଡ଼ ଅବ୍ୟବସ୍ଥା। କଟକ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀର ଫିସ୍‌କୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ପାଠ ପଢ଼ିବେ ନା ଆନ୍ଦୋଳନ କରିବେ? ଆଉ ସହିବାର ସୀମା ନାହିଁ। ପରିବାର ଉପରେ ନିର୍ଭରଶୀଳ ଛାତ୍ରଛାତ୍ରୀ ଏବେ ସରକାରୀ କାର୍ଯ୍ୟାଳୟ ଆଗରେ ବସି ନ୍ୟାୟ ମାଗୁଛନ୍ତି। ଦେୟମୁକ୍ତ ଲାଇବ୍ରେରୀ ପାଇଁ ଏବେ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ। ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କ ଦେୟ ୨୯୦୦ ଟଙ୍କାକୁ ବୃଦ୍ଧି ପାଇବା ଯୋଗୁଁ କେଏମସି ବିକାଶ ଭବନରେ ଆଜି ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ମତରେ, ଭୁବନେଶ୍ୱରରେ ଥିବା ଡକ୍ଟର ହରେକୃଷ୍ଣ ମହତାବ ଲାଇବ୍ରେରୀରେ ୨୨୫ ଟଙ୍କା ଦେୟରେ ୪ ବର୍ଷ ପଢ଼ିବାର ସୁଯୋଗ ରହିଛି। କିନ୍ତୁ କଟକରେ ତାହାର ପୂରା ଓଲଟା। ବିଶ୍ୱନାଥ ପଣ୍ଡିତ ପାଠାଗାରରେ ପୂର୍ବରୁ ରେଜିଷ୍ଟ୍ରେସନ ଫିସ୍‌ ୧୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୨୯୦୦ ଟଙ୍କା ହୋଇଛି। ଯାହା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ। ରାଜ୍ୟ ସରକାର KGରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଳେ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀ ବିଦ୍ୟାର୍ଥୀମାନଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି କହିଛନ୍ତି ଧାରଣାରତ ଛାତ୍ରଛାତ୍ରୀ।

ଅନ୍ୟପଟେ, କଟକ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ଉଦ୍‌ଘାଟନ ପରଠାରୁ ବନ୍ଦ ପଡ଼ିଛି। ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ୁଥିବା ବେଳେ ବର୍ଦ୍ଧିତ ଫିସ୍‌ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ତେବେ ଏହି ସଂକ୍ରାନ୍ତରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେଏମସି ଅଧିକାରୀ। କର୍ପୋରେସନରେ ନିଷ୍ପତ୍ତି ପରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେଏମସି ଅତିରିକ୍ତ କମିଶନର।

Latest Posts

Don't Miss