ଜୋରଦାର ହେବ ପୋଲାଭରମ ଲଢ଼େଇ: ତଥ୍ୟ ସଂଗ୍ରହ ପାଇଁ କାଲି ଦିଲ୍ଲୀ ଯିବ ବିଜେଡି ଟିମ

ଭୁବନେଶ୍ବର: ମାଟି ଓ ମାଆ ପାଇଁ ଲଢେଇକୁ ଜୋରଦାର କଲା ବିଜେଡି । ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ । ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ ।

ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ । ସେଠାରେ ସାତ ଜଣ ସାଂସଦ ମଧ୍ଯ ଏହି ଟିମ ସହ ସାମିଲ ହେବେ । କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସହାୟତା ଦେଇଛନ୍ତି । ଟିଡିପି ମଧ୍ୟ ଏହି କାର୍ଯ୍ୟ ସାରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ଏନଜିଟି ଅର୍ଡରକୁ ବି ଷ୍ଟେ କରି ପ୍ରକଳ୍ପ କାମ କରାଯାଉଛି । ଏସବୁ ସମସ୍ୟା ଅବଗତ କରିବାକୁ ଉଦ୍ୟମ କରିବ ବିଜେଡି । ମାଲକାନଗିରିରେ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ବିଜେଡି ଟିମ ରିପୋର୍ଟ ଦେଇଥିଲେ । ପୋଲାଭରମ ପ୍ରକଳ୍ପରେ ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ୫୦ ଲକ୍ଷ କ୍ୟୁସେକରେ ପରିବର୍ତ୍ତନ ପରେ କ୍ଷୟକ୍ଷତିର ଆକଳନ ହୋଇନି । ବିଜେଡି ଟିମ ପୋଲାଭରମ ସାଇଟରେ ପ୍ରସ୍ତୁତି ଦେଖି ଫେରିଛି । ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ମୁଖ୍ଯ ନରସିଂହ ମୂର୍ତ୍ତି ଓ ଟେକ୍ନିକାଲ ଟିମ ସହ ଆଲୋଚନା ହୋଇଥିଲା । କିନ୍ତୁ ସେମାନେ ପ୍ରକଳ୍ପକୁ ନେଇ ସବିଶେଷ ତଥ୍ୟ ଦେଇ ନଥିଲେ ।

୨୦୦୭ରୁ ଟ୍ରାଇବଲ ଆଫେୟାର୍ସ, ଜଙ୍ଗଲ ପରିବେଶ ବିଭାଗର ନିର୍ଦ୍ଦେଶ ଉଲ୍ଲଙ୍ଘନ ନେଇ ପ୍ରଶ୍ନ ଉଠାଇ ଆସୁଛି ଦଳ । ଆଇନଗତ ଲଢେଇ ମଧ୍ୟ ଜାରି ରହିଛି । ପ୍ରକଳ୍ପର ପରିବର୍ତ୍ତନ ଡିଜାଇନର କ୍ଷୟକ୍ଷତି ଆକଳନ କରାଯାଇ ସୁପ୍ରିମକୋର୍ଟକୁ ଦିଆଯାଇନି । ପ୍ରଥମେ ବ୍ୟାକ ୱାଟର ୧୭୪.୨୨ ମିଟର ରହିବ ବୋଲି ଆକଳନ କରାଯାଇଥିଲା । ପରେ ୨୧୩ ମିଟର ଯାଏଁ ରହିବ ବୋଲି କୁହାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୩୨.୨୮ ମିଟର ବ୍ୟାକ ୱାଟର ରହିବ ବୋଲି ଆଇଆଇଟି ରୁରକି ଆକଳନ କରିଛି । ଏ ସମ୍ପର୍କରେ କର୍ତ୍ତୃପକ୍ଷ ଟେକ୍ନିକାଲ ସ୍ବଚ୍ଛତା ଦେଇନାହାଁନ୍ତି । ବର୍ତ୍ତମାନ ନିଷ୍ପତ୍ତି ଅନୁଯାୟୀ ବିଜେଡି ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ।