ଆଳୁ ଗଛରେ ଫଳିଛି ଟମାଟୋ, ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ

ପାରାଦୀପ: ଏହା ଜୈବ ବିଜ୍ଞାନର କରାମତି ହୋଇଥାଇ ପାରେ। କିନ୍ତୁ ଏହା ମଣିଷର ଭୃ କୁଞ୍ଚନ କରୁଛି। ଲୋକଙ୍କୁ ତା ପାଖରେ କିଛି ସମୟ ନିରିଖି କରି ଦେଖିବାକୁ ବାଧ୍ୟ କରୁଛି। ମନ ବିଶ୍ୱାସ କରିପାରୁନି କିନ୍ତୁ ଆଖି କହୁଛି ତୁ ବିଶ୍ୱାସ କରିବାକୁ ବାଧ୍ୟ। ଏଭଳି କିଛି ଦୃଶ୍ୟ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଛି। କ’ଣ ଏମିତି କିଛି ସମ୍ଭବ ହୋଇପାରେ! ଆମେ ଫଟା ଛାତରେ ଗଛ ବାହାରିଥିବା ଦେଖିଥିବା, କି ବର ଗଛ ଉପରେ ଅନ୍ୟ କିଛି ଗଛ ବାହାରିଥିବା ମଧ୍ୟ ଦେଖି ଥିବା। କିନ୍ତୁ ଗୋଟିଏ ଗଛରେ ଆଉ ଗୋଟିଏ ଗଛର ଫଳ ବାହାରିବା କେବେ ଦେଖି ନଥିବା। ଏଭଳି ମଣିଷ ଆଖିକୁ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଉପକଣ୍ଠ ବଗଦିଆ ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ।

ଏ ଦୃଶ୍ୟ ଦେଖିଲେ ଆପଣବି କହିବେ ନାମ ଏହା ମିଛ। ନା ଆଜ୍ଞା ଏହା ସମ୍ପୁର୍ଣ୍ଣ ସତ। ଗୋଟିଏ ଗଛରେ ଦୁଇ ପ୍ରକାରର ପରିବ।। କଥାରେ ଅଛି “ଆମ୍ବ ଗଛରେ କ’ଣ ଆମ୍ବଡ଼ା ଫଳିପାରିବ” ? ଅର୍ଥାତ୍ ଯେଉଁ ଗଛ ଲଗାଯିବ, ସେହି ଗଛରେ ସେହି ଫଳ ହିଁ ଫଳିବ। ମାତ୍ର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗ୍ରାମର ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ମାଟିତଳେ ଆଳୁ ଫଳିଥିବା ବେଳେ ଉପରେ ଫଳିଛି ଟମାଟୋ।  ଘରେ ଗଜା ଆଳୁକୁ ନେଇ ଶଙ୍କର ତାଙ୍କ ବାଡ଼ିରେ ପୋତି ଦେଇଥିଲେ। ବିନା ସାରରେ ଗଛ ଗୁଡ଼ିକ ବଡ଼ ହୋଇଥିଲା। ମାତ୍ର ସେଥିରୁ ଦୁଇଟି ଆଳୁ ଗଛରେ ଫୁଲ ହେବା ସହିତ ଫଳ ଫଳିଥିଲା। ଯାହାକୁ ଦେଖି ଘର ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଲୋକମାନଙ୍କୁ ଏସମ୍ପର୍କରେ ପଚାରି ଥିଲେ।

ପ୍ରଥମେ ଟମାଟୋ ଫଳିଛି କହି ଏହାକୁ ସେମାନେ ବିଶ୍ୱାସ କରିନଥିଲେ। ମାତ୍ର ଏବେ ଏହାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି। କିଛି ବୟସ୍କ ବ୍ୟକ୍ତି ତାଙ୍କ ଜୀବନ କାଳ ଭିତରେ ଏଭଳି ଦେଖି ନଥିବା କହିଛନ୍ତି।

ଆଳୁ ଗଛରେ ଟମାଟୋ ଫଳିବା ନିହାତି ଏକ ବିରଳ ଘଟଣା । ଏହା କୌଣସି ବିଜ୍ଞାନ ସମ୍ମତ ପାଇଁ ହୋଇଥାଉ କିମ୍ବା ପ୍ରକୃତିର ଏକ କରିସ୍ମା। ଯାହା ବି ହେଉନା କାହିଁକି ଏହା ଲୋକଙ୍କୁ ଏକ ଭିନ୍ନ ଖୋରାକ ଯୋଗାଇଛି।

Leave a Reply