spot_img

Latest Posts

ଟୋକିଓ ଅଲମ୍ପିକ୍ସ ହୋଇପାରେ କରୋନା ସୁପରସ୍ପ୍ରେଡର, ଅନେକ ଖେଳାଳି ନେଇ ନାହାଁନ୍ତି କରୋନା ଟିକା

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୩ରେ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି ଟୋକିଓ ଅଲମ୍ପିକ୍ସ ୨୦୨୦। କରୋନା ଲାଗି ଗତ ବର୍ଷ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅନେକ କ୍ଷତି ଘଟାଇଛି। କିନ୍ତୁ ଏହାରି ଭିତରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ।

ସବୁଠାରୁ ବଡ଼ କଥା ହେଉଛି ଅଲମ୍ପିକ୍ସରେ ଏମିତି କୌଣସି ନିୟମ ନାହିଁ ଯେ ଏହି ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ଟିକାକରଣ ଆବଶ୍ୟକ। ଯେଉଁଥିପାଇଁ ଆଗକୁ ଅଲମ୍ପିକ୍ସ କରୋନାର ସୁପର ସ୍ପ୍ରେଡର ହେବାକୁ ଯାଉଛି। କାରଣ ଅଲିମ୍ପିକ୍ ଗେମ୍ସ ପାଇଁ ଏଠାକୁ ଆସୁଥିବା ଅନେକ ବିଦେଶୀ ଆଥଲେଟ୍ ଟିକା ନ ନେଇ ସେମାନଙ୍କ ଇଭେଣ୍ଟରେ ପ୍ରବେଶ କରିବେ।

ଆମେରିକାର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେଠାରେ ଥିବା କିଛି ଆଥଲେଟ୍ ସେମାନଙ୍କ ଇଭେଣ୍ଟ ପୂର୍ବରୁ ଟିକାକରଣ କରିବାକୁ ମନା କରି ଦେଇଛନ୍ତି। ଆମେରିକାର ଅଲିମ୍ପିକ୍ କମିଟି କହିଛି ଟୋକିଓ ଅଲମ୍ପିକ୍ସ ପାଇଁ ଜାପାନ ଯାଉଥିବା କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ।

କିନ୍ତୁ ଆଥଲେଟଙ୍କ ପାଇଁ ଏଭଳି ଆବଶ୍ୟକତାକୁ ବାଧ୍ୟତାମୂଳକ କରାଯାଇ ନାହିଁ। ସେପଟେ ଆମେରିକାର ସନ୍ତରଣକାରୀ ମାଇକେଲ ଆଣ୍ଡ୍ରିୟୁଙ୍କ ବିବୃତ୍ତି ଆମେରିକାର ଗଣମାଧ୍ୟମରେ ପ୍ରକାଶ ପାଇଛି। ଟିକା ନେବା ପରେ କାଳେ ତାଙ୍କ ଖେଳ ଉପରେ କୌଣସି ପ୍ରଭାବ ବଡ଼ିବ ସେଥିପାଇଁ ସେ ଟିକା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି ବାେଲି କହିଛନ୍ତି।

ପର୍ଯ୍ୟବେକ୍ଷକଙ୍କ ଅନୁଯାୟୀ, ଆମେରିକାରେ ଟିକା ଅଭାବ ନାହିଁ। ତେଣୁ ଯେଉଁ ଖେଳାଳି ମାନେ କରୋନା ଟିକା ନେଇ ନାହାଁନ୍ତି ସେମାନେ ଯାଣିଶୁଣି ନେଇନାହାନ୍ତି। କିନ୍ତୁ ବିଶ୍ୱର ଅନେକ ଦେଶରେ ଟିକା ଅଭାବର ସମସ୍ୟା ମଧ୍ୟ ଦେଖାଦେଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭେନେଜୁଏଲା ଏବଂ ନାଇଜେରିଆ ଅଲିମ୍ପିକ୍ ଗେମ୍ସକୁ ବଡ଼ ଦଳ ପଠାଉଛନ୍ତି।

ଯେତେବେଳେକି ଉଭୟ ଦେଶ ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ କରାଯାଇଛି। ଏଥିରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି ଟୋକିଓ ଆସୁଥିବା ଅନେକ ଖେଳାଳି ଟିକା ନେଇ ନଥିବେ। ବିଭିନ୍ନ ଦେଶରେ ଏହି ପ୍ରସଙ୍ଗରେ ବିଭିନ୍ନ ନୀତି ଗ୍ରହଣ କରାଯାଇଥିଲା। ଅଷ୍ଟ୍ରେଲିଆ ଗତ ଏପ୍ରିଲରେ ଘୋଷଣା କରିଥିଲା ​​ଯେ ଅଲିମ୍ପିକ୍ସକୁ ଯାଉଥିବା ଆଥଲେଟମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବ। ଯେତେବେଳେ କି ଅନ୍ୟାନ୍ୟ ଦେଶରେ ଏହା ଘୋଷଣା କରାଯାଇନଥିଲା।

ଜାପାନ ଯାତ୍ରା କରୁଥିବା ଆଥଲେଟମରନଙ୍କ ପାଇଁ ଆମେରିକାରେ ଦୁଇଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଗତ ମେ ମାସରେ, ଫାଇଜର କମ୍ପାନୀ ଘୋଷଣା କରିଥିଲା ​​ଯେ ଏହା ଅଲିମ୍ପିକ୍ସକୁ ଯାଉଥିବା ଆଥଲେଟମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବ। ଏହା ପରେ ଅନ୍ୟ ଦେଶର ଆଥଲେଟମାନଙ୍କୁ ମଧ୍ୟ ମାଗଣା ଟିକା ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା।

କିନ୍ତୁ ବିଭିନ୍ନ ଦେଶକୁ ଟିକା ପଠାଇବା ଏକ ସମସ୍ୟା ହୋଇ ରହିଲା। ତେବେ ଏପର୍ଯ୍ୟନ୍ତ ଫାଇଜର କେତେ ଖେଳାଳିଙ୍କୁ ଟିକା ଦେଇଛି ତାହା ସ୍ପଷ୍ଟ କରିନାହିଁ । ଟୋକିଓ ଏବଂ ଆସନ୍ତା ବର୍ଷ ବେଜିଂରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟ୍ମାନଙ୍କୁ ମାଗଣା ଟିକା ପ୍ରଦାନ କରିବ ବୋଲି ଚୀନ୍ ଘୋଷଣା କରିଛି। କିନ୍ତୁ ଚିନ ମଧ୍ୟ କେତେ ଖେଳାଳିଙ୍କୁ ଟିକା ଦେଇଛି ସେହି ତଥ୍ୟକୁ ଲୁଚାଇ ରଖିଛି।

Latest Posts

Don't Miss