Tokyo Olympics 2020: ପ୍ରି-ଅଲିମ୍ପିକ୍ସ ଟ୍ରେନିଂ କ୍ୟାମ୍ପରୁ ଉଗାଣ୍ଡା ଆଥ୍‌ଲେଟ୍ ନିଖୋଜ: ଛାଡ଼ିଗଲେ ଚିଠି

1 min read

ଟୋକିଓ: ଟୋକିଓ ଅଲିମ୍ପିକ୍ସରୁ ଆଥ୍‌ଲେଟ୍ ନିଖୋଜ । ଉଗାଣ୍ଡାର ଜଣେ ଆଥ୍‌ଲେଟ୍ ଟ୍ରେନିଂ କ୍ୟାମ୍ପରୁ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଅଫିସିଆଲମାନେ ତାଙ୍କର ସନ୍ଧାନ ନେଉଛନ୍ତି । ତେବେ ଅଲିମ୍ପିକ୍ସ ପାଇଁ ଆସିଥିବା ଆଥ୍‌ଲେଟ୍ ନିଖୋଜ ହୋଇଯିବା ଘଟଣା ଜାପାନା ଆୟୋଜକଙ୍କ ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇ ଦେଇଛି । ୯ଜଣ ସଦସ୍ୟ ବିଶିଷ୍ଟ ଉଗାଣ୍ଡା ଦଳ ଜାପାନ ପଶ୍ଚିମାଞ୍ଚଳ ଅନ୍ତର୍ଗତ ଓସାକାର ଇଜୁମିସାନୋଠାରେ ଟ୍ରେନିଂ ନେଉଥିଲେ । ସେମାନଙ୍କ ମଧ୍ୟରୁ ଶୁକ୍ରବାର ପୂର୍ବାହ୍ନରେ ୨୦ ବର୍ଷୀୟ ଓ୍ୱେଟଲିଫ୍ଟର ଜୁଲିଅସ୍ ସେକିତୋଲେକା ନିଖୋଜ ହୋଇଯାଇଛନ୍ତି । ସେତେବେଳେ ସାଲଇଭା ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରାଯାଉଥିଲା । ଆଥ୍‌ଲେଟ୍ ଜଣଙ୍କୁ ଖୋଜିବା ବେଳେ ସେ ତାଙ୍କ ରୁମରେ ନ ଥିଲେ । ତାଙ୍କୁ ଶେଷ ଥର ପାଇଁ ଶୁକ୍ରବାର ପ୍ରତ୍ୟୁଷରେ ଦେଖିବାକୁ ମିଳିଥିଲା । ହୋଟେଲରେ ଖୋଜାଖୋଜି ପରେ ସନ୍ଧାନ ନ ମିଳିବାରୁ ପୋଲିସହ ସହାୟତା ନିଆଯାଇଛି । ହୋଟେଲରେ ୨୪ ଘଣ୍ଟିଆ ମନିଟରିଂ ଅଭାବରୁ ଆଥ୍‌ଲେଟ୍ ଜଣଙ୍କ କେତେବେଳେ ହୋଟେଲ ବାହାରକୁ ଚାଲିଯାଇଛନ୍ତି ତାହା ଜଣାପଡ଼ିନାହିଁ । ଅପରପକ୍ଷରେ ଟୋକିଓରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁସାରେ ସାନି ୧,୨୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକ ପୂର୍ବରୁ ଏହି ସଂଖ୍ୟା ୬ ମାସ ମଧ୍ୟରେ ସର୍ବାଧିକ ୧ ହଜାର ୩୦୮ ରେକର୍ଡ କରାଯାଇଥିଲା । ଜୁନ୍ ୧୬ରେ ଉଗାଣ୍ଡା ଟିମ୍ ଜାପାନରେ ପହଞ୍ଚିବା ପରେ ସେମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଏଥିରେ ଦଳର ଜଣେ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ସେଠାରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ଅବଶିଷ୍ଟ ୮ ଜଣଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ୫ଶହ କିମି ଦୂର ଇଜୁମିସାନୋ ପଠାଇ ଦିଆଯାଇଥିଲା । ସେଠାରେ ସେମାନେ ପ୍ରି-ଅଲିମ୍ପିକ୍ସ କ୍ୟାମ୍ପରେ ଯୋଗ ଦେଇଥିଲେ ।  ତେବେ ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ସେ ଏକ ଚିଠି ଛାଡ଼ି ଯାଇଛନ୍ତି । ଯେଉଁଥିରେ ସେ ଜାପାନରେ ରହି କାମ କରିବାକୁ ଚାହୁଁଥିବା କହିଛନ୍ତି । ତାଙ୍କ ଦେଶ ଉଗାଣ୍ଡାରେ ଜୀବନ ବିତାଇବା କଷ୍ଟକର ହୋଇଥିବାରୁ ସେ ଏଠାରେ ରହି କାମ କରିବାକୁ ଚାହୁଁଛନ୍ତି ବୋଲି ସେଥିରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍‌ ପାଇଁ ଘୋଷଣା ହେଲା ଗ୍ରୁପ୍‌, ଗୋଟିଏ ଗ୍ରୁପରେ ଭାରତ ଏବଂ ପାକିସ୍ତାନ

Leave a Reply