IPL ମହା ମୁକାବିଲା: Delhi Capitals VS Kings XI Punjab; ଜାଣନ୍ତୁ ଉଭୟ ଦଳର ଶକ୍ତି ଓ ଦୁର୍ବଳତା

1 min read

ଭୁବନେଶ୍ୱର: ଆରମ୍ଭ ହୋଇଛି ଆଇପିଏଲ । ପ୍ରଥମ ଦିନରେ ଧୋନୀ ବାହିନୀ ବିଜୟର ସ୍ୱାଦ ଚାଖିଲା । ମୁମ୍ୱାଇ ଇଣ୍ଡିଆନ୍ସ ନିଜ ଚିରାଚରିତ ଢଙ୍ଗରେ ପରାଜୟରୁ ଯାତ୍ରା ଆରମ୍ଭ କଲା । ତେବେ ୨ୟ ଦିନରେ ଦିଲ୍ଲୀ, ପଞ୍ଜାବକୁ ଭେଟିବ । ଉଭୟ ଟିମ୍ ଏଯାବତ୍ ନିଜର ପ୍ରଥମ  ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ଖୋଜୁଛନ୍ତି । ଏହି କ୍ରମରେ ଏଥରର ଟୁର୍ଣ୍ଣାମେଣ୍ଟ ଜିତିବା ନେଇ ଉଭୟ ଆଶାବାଦୀ ରହିବେ, ନିଶ୍ଚୟ । ତେବେ କେତେ ସକ୍ଷମ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ୧୧ ପଞ୍ଜାବ ?

କାଗଜ କଲମରେ ଦେଖିଲେ ଉଭୟ ଟିମ୍ ଏକ ଭଲ ଓପନିଂ ଜୋଡ଼ି ରଖିଛନ୍ତି । ଦିଲ୍ଲୀ ଶିଖର ଧଓ୍ୱନ ଓ ୟଙ୍ଗ୍ ଟ୍ୟାଲେଣ୍ଟ୍ ପୃଥ୍ୱୀ ସଙ୍କୁ ସଲାମୀ ଓପନର ଭାବେ ପ୍ରଥମ ମ୍ୟାଚ୍ ଖେଳାଇବ । ଶୀଖର ଦ୍ରୁତ ଗତିରେ ରନ କରିବାରେ ଏକଦମ ଧୁରନ୍ଧର  । ସେ କମ୍ ବଲରେ ଅଧିକ ରନ୍ କରିବା ଉପରେ ଧ୍ୟାନ ଦେବେ । ଅନ୍ୟପକ୍ଷରେ ପୃଥ୍ୱୀ ସଙ୍କୁ ନେଇ ଦିଲ୍ଲୀ ଲଙ୍ଗ୍ ଇନିଙ୍ଗ୍ସ ଖେଳିବା ପ୍ରୟାସରେ ରହିବ ବୋଲି ଆଶା କରାଯାଇଛି ।

ସେହିଭଳି କିଙ୍ଗ୍ସ XI ପଞ୍ଜାବ କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ ଓ କ୍ରିସ୍ ଗେଲ ମଧ୍ୟରୁ ଦୁଇ ଜଣଙ୍କୁ ଇନିଙ୍ଗ୍ସ ଓପନ ପାଇଁ ବାଛିବ ।  ଦୁଇ ଟିମର ଓପନିଂ ଜୋଡ଼ିକୁ ଦେଖିଲେ ପଞ୍ଜାବ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ମନେ ହେଉଛି । କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ଯେକୌଣସି ଅନ୍ୟ ଓପନରଙ୍କୁ ପଛରେ ପକାଇବାରେ ସମର୍ଥ । ସେହିଭଳି କେ ଏଲ ରାହୁଲ ଏବେ ନିଜ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ସମୟ ଦେଇ ଅତିବାହିତ କରୁଛନ୍ତି । ସେହିଭଳି ମୟଙ୍କ୍ ମଧ୍ୟ ଭାରତ ପାଇଁ ଅଲ୍ପବହୁତ ମ୍ୟାଚ୍ ଖେଳିସାରିଲେଣି । ତାଙ୍କ ଅଭିଜ୍ଞତାର ପ୍ରତିଫଳନ ଆଇପିଏଲରେ ହୋଇପାରେ  । ଓପନର ଜୋଡ଼ି କ୍ଷେତ୍ରରେ ପଞ୍ଜାବ ପକ୍ଷ ଭାରି ରହିବା ଏକପ୍ରକାର ନିଶ୍ଚୟ ।

ମିଡିଲ ଅଡରରେ ଦିଲ୍ଲୀ ପଞ୍ଜାବ ଅପେକ୍ଷା ଅଧିକା ଶକ୍ତ । ପଞ୍ଜାବ ପାଖରେ ଭାରତୀୟ ପ୍ଲେୟାର ଭାବେ କରୁଣ ନାୟର, ମନଦୀପ ସିଂ, କ୍ରିଷ୍ଣପା ଗୌତମ୍ ଓ ସରଫରାଜ୍ ଖାନ୍ ମିଡିଲ୍ ଅଡରରେ ଖେଳିବାକୁ ଥିବା ବେଳେ ଦିଲ୍ଲୀ ଶ୍ରେୟଶ୍ ଆୟର ଓ ରିଶବ୍ ପନ୍ଥଙ୍କୁ ମିଡିଲ୍ ଅଡର୍ ଦାୟିତ୍ୱ ଦେବ । ଏକଥା କହିବାକୁ ମଧ୍ୟ ପଡ଼ିବ ନାହିଁ ଯେ, ଶ୍ରେୟଶ୍ ଓ ରିଶବ୍ ପଞ୍ଜାବ ଉପରେ ଏକଦମ ଭାରି ପଡିବେ ।

ବିଦେଶୀ ପ୍ଲେୟାରଙ୍କ ତୁଳନା କଲେ ଦୁଇ ଟିମରେ ପାଖାପାଖି ସମାନ ଦକ୍ଷତା ରହିଛି ବୋଲି କହି ହେବ । ପଞ୍ଜାବ ପାଇଁ ଅଷ୍ଟ୍ରେଲିୟାନ କ୍ରିକେଟର୍ ଗ୍ଲେନ ମାକ୍ସୱେଲ୍, ୱେଷ୍ଟଇଣ୍ଡିଜର ୱିକେଟ୍ ରକ୍ଷକ ନିକୋଲସ୍ ପୁରନ୍, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମି ନିଶାମ୍ ଉପଲବ୍ଧ ଅଛନ୍ତି । ତେବେ ଉଲ୍ଲେଖଯୋଗ୍ୟ ଯେ ଆଜିର ମ୍ୟାଚରେ ଗ୍ଲେନ ମାକ୍ସୱେଲ ଖେଳିବେ ନାହିଁ । ନିକତ ଅତୀତରେ ସେ ଇଂଲଣ୍ଡ ସହ ମ୍ୟାଚ ସାରି ୟୁଏଇରେ ପହଞ୍ଚିଥିବା ହେତୁ ତାଙ୍କୁ ଏବେ କ୍ୱାରେଣ୍ଟାଇନ ପିରିୟଡରେ ରଖାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀର ସିମରନ୍ ହେଏଥମାରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ମ୍ୟାକ୍ସୱେଲଙ୍କୁ କଡ଼ା ପ୍ରତିଦ୍ୱନ୍ଦିତା ଦେବେ । ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରି ଓ ମାରକସ୍ ଷ୍ଟୋଇନିସ୍ ମଧ୍ୟ ମଧ୍ୟକ୍ରମରେ ବଡ଼ ଇନିଙ୍ଗସ୍ ଖେଳିବାର ଦକ୍ଷତା ରଖନ୍ତି । ଏଣୁ ମଧ୍ୟକ୍ରମରେ ଦୁଇଟି ଯାକ ଟିମ୍ କିଭଳି ପ୍ରଦର୍ଶନ କରିବ ସେନେଇ ସ୍ପଷ୍ଟ ଚିତ୍ର ମିଳିବା କଷ୍ଟ । ମାତ୍ର ଦୁଇ ଟିମର ସବୁ ଖେଳାଳୀଙ୍କ ମଧ୍ୟରେ ମାରକସ୍ ଷ୍ଟୋଇନିସ୍ ସବୁଠାରୁ ଭଲ ପ୍ରଦର୍ଶନ କରିପାରନ୍ତି ।

ତେବେ ଉଭୟଙ୍କ ବୋଲିଙ୍ଗ ୟୁନିଟରେ ଟପ୍ କମ୍ପିଟିସନ୍ ଦେଖିବାକୁ ମିଳିବ । ବିଶେଷ ଭାବେ ସ୍ପିନ ବିଭାଗରେ । ଗୋଟେ ପଟେ ଦିଲ୍ଲୀ ପାଇଂ ସନ୍ଦୀପ ଲାମିଚାନ୍ ଓ ଅମିତ ମିଶ୍ରା ସ୍ପିନ ବିଭାଗ ସମ୍ଭାଳିବାକୁ ଥିବା ବେଳେ ଅନ୍ୟ ପଟେ ପଞ୍ଜାବ ପାଇଁ ଆଫଗାନୀ ସ୍ପିନର ମୁଜିବ୍ ଉର ରେହେମନ ଓ ଇଣ୍ଡିଆ  ଅଣ୍ଡର ନାଇଣ୍ଟିନ୍ ଷ୍ଟାର ରବି ବିଷ୍ଣୋଇ ସ୍ପିନ ଦାୟିତ୍ୱ ନେବେ । ସେହିଭଳି ଉଭୟଙ୍କ ଟିମରେ ଆହୁରି ମଧ୍ୟ ସ୍ପିନର ଅଛନ୍ତି । ଦିଲ୍ଲୀ ପାଇଁ ଅକ୍ସର୍ ପଟେଲ ଓ ପଞ୍ଜାବ ପାଇଁ ମୃଗାନ ଅଶ୍ୱୀନି ମଧ୍ୟ ସ୍ପିନ୍ କରିବେ ।

ପେସ୍ ବୋଲିଂ ବିଭାଗରେ କେଉଁ କେଉଁ ଦଳ କିଭଳି ପ୍ରଦର୍ଶନ କରିବ ସେନେଇ କହିବା କଷ୍ଟ । ଟପ୍ ପେସ ବୋଲର କାଗିସୋ ରାବାଡା ଓ ଏନରିଚ୍ ନୋର୍ଟାଜେ ପେସ ଭାର ସମ୍ଭାଳିବେ । ସେହିଭଳି ପଞ୍ଜାବ ପକ୍ଷରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ, ବିଦେଶୀ ଖେଳାଳୀ- କ୍ରିସ୍ ଜୋର୍ଡାନ ଓ ସେଲଡନ କର୍ଟେଲ୍ ପେସ ବୋଲିଂ କରିବେ ।

ତେବେ ଆଜିର ମ୍ୟାଚରେ ବିଜୟ ପାଇଁ ଉଭୟ ଦଳଙ୍କୁ ଏକ ସନ୍ତୁଳିତ ଟିମ୍ ଚୟନ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଆମେ ଏକ ସମ୍ଭାବ୍ୟ ଦଳ ଘୋଷଣା କରୁଛୁ ।

 

ଦିଲ୍ଲୀ କ୍ୟାପିଟାଲ୍ସ-

ଶିଖର ଧାୱନ, ପୃଥ୍ୱୀ ସ, ଶ୍ରେୟସ୍ ଆୟର (ଅଧିନାୟକ), ଶିମ୍ରନ୍ ହେୟତମାର୍, ଅଜିଙ୍କ୍ୟ ରାହାଣେ, ରିଶଭ୍ ପନ୍ତ, ମାର୍କସ୍ ଷ୍ଟୋଇନିସ୍, କାଗିସୋ ରାବାଡା, ଅମିତ ମିଶ୍ର, ସନ୍ଦୀପ ଲାମିଚାନେ, ହର୍ଷଲ ପଟେଲ

କିଙ୍ଗ୍ସ XI ପଞ୍ଜାବ –

କ୍ରିସ୍ ଗେଲ୍, କେ ଏଲ ରାହୁଲ୍ (ଅଧିନାୟକ), ମୟଙ୍କ ଅଗ୍ରୱାଲ୍, ସର୍ଫରାଜ୍ ଖାନ୍, କ୍ରିଷ୍ଣପା ଗୌତମ୍, ମହମ୍ମଦ ସାମୀ, ମୁଜିବ୍ ୟୁର୍ ରେହମନ୍, ରବି ବିଷ୍ଣୋଇ, ସେଲଡନ୍ କର୍ଟେଲ୍, ନିକୋଲସ୍ ପୁରନ୍ (ଓ୍ୱିକେଟ୍ ରକ୍ଷକ), ଦୀପକ ହୁଡ୍ଡା ।

Leave a Reply