କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି ‘ନବୀନ’

1 min read

ଭୁବନେଶ୍ବର: ଚାଲେଞ୍ଜରୁ ସେ ସୁଯୋଗ ସାଉଁଟନ୍ତି । ସଫଳତା ପାଇଁ କଠିନ ପରିଶ୍ରମ, ଟିମ୍ ଓ୍ବାର୍କକୁ ଶ୍ରେୟ ଦିଅନ୍ତି । ରାଜନୈତିକ କ୍ୟାରିୟରରେ ନିଜେ ରେକର୍ଡ ତିଆରି କରୁଛନ୍ତି । ନିଜ ରେକର୍ଡକୁ ନିଜେ ଭାଙ୍ଗୁଛନ୍ତି । ରାଜ୍ୟ ରାଜନୀତି ମଇଦାନରେ ସେ ଦୀର୍ଘ ୨୫ ବର୍ଷ ହେବ ବାଟ ଚାଲୁଛନ୍ତି । ମାତ୍ର ଏଯାଏଁ ସେ ଥକି ନାହାନ୍ତି । ଦୀର୍ଘ ଅଢ଼େଇ ଦଶନ୍ଧି ହେବ ରାଜ୍ୟ ରାଜନୀତିର ମେରିଖୁଣ୍ଟ ସାଜିଛନ୍ତି । ନିଜ ନିର୍ମଳ ଭାବମୂର୍ତ୍ତି ଓ ନିରଳସ ଜୀବନଯାପନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଜନ୍ମଦିନରେ ଛୁଟିଛି ଶୁଭେଛାର ସୁଅ ।

ଅଟଳ, ଅପରାଜେୟ, ଅସାଧାରଣ । ଆତ୍ମବିଶ୍ୱାସଭରା ମିଜାଜ୍ ଫିକା ପଡ଼ିନି । ସେଇ ଦମ୍ଭ ସାଙ୍ଗକୁ ସେମିତି ଦୃଢ଼ୋକ୍ତି । ଆଞ୍ଚଳିକ ଦଳ ବିଜେଡିର ମୁଖିଆ ଭାବେ ଜାତୀୟ ରାଜନୀତିରେ ସେ ଏବେ ବଡ଼ ବ୍ରାଣ୍ଡ୍ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଚଢ଼ି ଚାଲିଛି ପାହାଚ ପରେ ପାହାଚ । ଅଢ଼େଇ ଦଶନ୍ଧିର ରାଜ୍ୟ ଓ ଜାତୀୟ ରାଜନୀତିକୁ ବ୍ୟବଚ୍ଛେଦ କଲେ ଜଳଜଳ ଯେ, ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ବିଜେଡି ଆଜି ଏକ ଅପରାଜେୟ ଶକ୍ତି । ଓଡ଼ିଶାବାସୀଙ୍କ ସମର୍ଥନ ଓ ଆଶୀର୍ବାଦରେ ବିଜୁ ଜନତା ଦଳ କ୍ରମାଗତ ୫ ପାଳି ରାଜ୍ୟର ଶାସନ ଡୋରି ଧରିଛି । ଗୋଟିଏ ଆଞ୍ଚଳିକ ଦଳର ଏଭଳି ସଫଳତା ପଛର ମହାନାୟକ ହେଉଛନ୍ତି ସ୍ୱୟଂ ନବୀନ ।

ସମୟର ପାହୁଣ୍ଡ ଆଗକୁ ଆଉ ଆଗକୁ । ନବୀନଙ୍କ ଜନ୍ମଦିନରେ ନବରଙ୍ଗପୁରରୁ ନବୀନ ନିବାସ ଯାଏଁ ଉତ୍ସାହ, ଖୁସି ଆଉ ସେଲିବ୍ରେସନର ମାହୋଲ । ଓଡ଼ିଶାବାସୀଙ୍କ ବଳ ପାଲଟିଛି ବିଜୁ ଜନତା ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବାକୁ ବିଜେଡି ସୁପ୍ରିମୋ ଗତ ଦୁଇ ଦଶନ୍ଧିରେ କଠିନ ପରିଶ୍ରମ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଶା ଆଜି ‘ରୋଲ ମଡେଲ’ । ଏ ସମସ୍ତ ସଫଳତାର କ୍ରେଡିଟ୍ ହିଁ ସାଉଁଟିବେ ବିଜେଡି ‘କମାଣ୍ଡର ଇନ ଚିଫ୍‌’ ସ୍ୱୟଂ ନବୀନ ।

୧୯୯୭ରେ ପଲଟିକାଲ କ୍ୟାରିୟର ଆରମ୍ଭ କରିଥିବା ନବୀନ ପାଇଁ ବିଜେଡି ଆଜି ବଳୁଆ ଦଳ । ଜାତୀୟ ରାଜନୀତିରେ ବିଜେଡିର ଦବଦବା କାହିଁରେ କ’ଣ । ଦଳରେ ସେ ହିଁ ଆରମ୍ଭ, ସେ ହିଁ ଶେଷ । ରାଜ୍ୟ ରାଜନୈତିକ ଇତିହାସରେ ସେ ନୂଆ ନୂଆ ମାଇଲଖୁଣ୍ଟ ବସାଉଛନ୍ତି । ୫ମ ପାଳି ମୁଖ୍ୟମନ୍ତ୍ରୀ କୁର୍ସି ସମ୍ଭାଳି ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି ।

ବିଜୁଙ୍କ ଦାୟାଦ ନବୀନ ରାଜନୀତିରେ ପ୍ରଥମରୁ ରୁଚି ରଖିନଥିଲେ । ମାତ୍ର ପିତାଙ୍କ ଦେହାନ୍ତ ପରେ ଓଡ଼ିଶା ପଲଟିକାଲ ସର୍କଲକୁ ଏଣ୍ଟ୍ରି ମାରିଲେ । ୧୯୯୭ରୁ କୌଣସି ନିର୍ବାଚନ ହାରି ନଥିବା ନବୀନ ନିଜକୁ ଅଟଳ ଓ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି । ତାଙ୍କର ବ୍ରାଣ୍ଡଭାଲ୍ୟୁ ହିଁ ବିଜେଡିର ସବୁଠାରୁ ବଡ଼ ବଳ । ଦୀର୍ଘ ଅଢ଼େଇ ଦଶନ୍ଧିର ଲମ୍ବା କ୍ୟାରିୟରରେ ତାଙ୍କ ସଫେଦ କୁର୍ତ୍ତାରେ କଳା ଦାଗ ଲାଗିନି । ଏହା ହିଁ ତାଙ୍କର ସବୁଠାରୁ ବଡ଼ ପୁଂଜି । ପ୍ଲସ ପଏଣ୍ଟ ।

“ଲୋକଙ୍କ ଭଲ ପାଇବା ଆଗରେ କ୍ଷମତା, ସମ୍ମାନ ଓ ସମ୍ପତ୍ତିର କିଛି ମୂଲ୍ୟ ନାହିଁ । ଏହି ଭଲ ପାଇବା ହିଁ ଗାନ୍ଧିଜୀଙ୍କୁ ଅମର କରିଛି । ଆଉ ବିଜୁ ବାବୁଙ୍କୁ ମହାନ କରିଛି । ଲୋକଙ୍କ ସେବା କର, ହୃଦୟ ଜିତ ।” ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ସେ ଏହି ମନ୍ତ୍ର ଦେଇଛନ୍ତି । ଓଡ଼ିଆ ଭାବେ ସେ ଗର୍ବିତ ବୋଲି କହି ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଆସ ସଂକଳ୍ପ ନେବା । ବିଶ୍ୱ ଇତିହାସରେ ଓଡ଼ିଶା ପାଇଁ ସ୍ଥାନ ଗଢ଼ିବା । ଆମେ ଶ୍ରେଷ୍ଠ ହେବା ବୋଲି କହି ପ୍ରତି ଓଡ଼ିଆଙ୍କ ହୃଦୟରେ ନୂଆ ଆଶା ସଞ୍ଚାର କରିଛନ୍ତି ।

ବିଜେଡିର ଆଖି ତରାଟିଲା ଭଳି ସଫଳତା ପଛର ବଡ଼ ରହସ୍ୟ ହେଉଛି ନବୀନଙ୍କ ସରଳ ଜୀବନଯାପନ ସହ ଶାସନର କେନ୍ଦ୍ରବିନ୍ଦୁରେ ସାଧାରଣ ଲୋକ। ବିଜେଡି କର୍ମୀଙ୍କୁ ନବୀନଙ୍କ ମନ୍ତ୍ର ହେଉଛି, ଆପଣମାନେ ସରଳ ଜୀବନଯାପନ କରନ୍ତୁ । ଜନତା ଆମର ପ୍ରଭୁ । ଏଣୁ ନମ୍ରତାର ସହ ସେମାନଙ୍କ ସେବା କରନ୍ତୁ । ବିଜେଡି ମୁଖିଆଙ୍କ ଏ ମନ୍ତ୍ର ଦଳକୁ ଦେଇଛି ଅସମ୍ଭବ ସଫଳତା । ସାଧାରଣ ଓ ଗରିବ ଲୋକଙ୍କ ପାଇଁ ନବୀନ ଯେତିକି ଯୋଜନା ଆପଣାଇଛନ୍ତି ତାହା ତାଙ୍କ ଦଳ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବହୁ ଗୁଣିତ କରିଛି । ଟଙ୍କିକିଆ ଚାଉଳରୁ ଆରମ୍ଭ କରି, କାଳିଆ, ବଳରାମ, ମମତା, ଆହାର ଯୋଜନା ଗରିବଙ୍କ ମୁହଁରେ ହସ ଆଣିଛି । ସ୍ୱତନ୍ତ୍ର କୃଷି ବଜେଟ୍‌, ସ୍ୱତନ୍ତ୍ର କୃଷି ଓ ଐତିହ୍ୟ କ୍ୟାବିନେଟ୍‌, ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ମିଶନଶକ୍ତି ଆନ୍ଦୋଳନରେ ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା, ବିଏସକେୱାଇ ହେଲଥ କାର୍ଡରେ ଗୁଣାତ୍ମକ ମାଗଣା ସ୍ୱାସ୍ଥ୍ୟସେବା, ୧୦ ନୂଆ ମେଡିକାଲ କଲେଜ, ସ୍କୁଲ ରୂପାନ୍ତରୀକରଣ ବିଜେଡିର ମାଇଲଖୁଣ୍ଟ ।

ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ‘5T’ ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍‌ପରେନ୍ସି, ଟେକ୍‌ନୋଲୋଜି, ଟ୍ରାନସଫରମେସନ, ଟାଇମ୍‌) ଅନୁସାରେ କାମ ଆରମ୍ଭ ହୋଇଛି । ଜନସାଧାରଣଙ୍କୁ ତ୍ୱରିତ ସେବା ଦେବାରେ ଏହା ବହୁତ ସହାୟକ ହେଉଛି । ମଧ୍ୟସ୍ଥି, ଦଲାଲଙ୍କ ଶୋଷଣରୁ ମିଳିଛି ମୁକ୍ତି । ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ ।

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ କରିବା ସହ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦେବାର କାମ ଆରମ୍ଭ ହୋଇଛି । ବିକାଶଶୀଳ ଦେଶ ଭଳି ରାଜ୍ୟରେ ଘରେ ମିଳୁଛି ଜୀବାଣୁ ଶୂନ୍ୟ ପଇପ୍ ପାଣି । କଟକ ବଡ଼ ମେଡିକାଲକୁ ‘ଏମ୍ସ ପ୍ଲସ୍‌’ ଭାବେ ଗଢିବାକୁ କାମ ଆଗେଇଛି । ବିପର୍ଯ୍ୟୟର ମୁକାବିଲାର ରୋଲ ମଡେଲ ନବୀନ କରୋନା କାଳରେ ‘ସଂକଟମୋଚକ’ ଭାବେ ଉଭା ହେଲେ । ‘ହକି’ ପାଇଁ ନବୀନ ସାଜିଛନ୍ତି ଲକି ମାସ୍କଟ । ଏବେ ଫୁଟବଲ ପାଇଁ ଅଣ୍ଟା ଭିଡ଼ିଛନ୍ତି । ହଁ….ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାର ଏବେ ନୂଆ ପରିଚୟ । ବିକାଶର ରାସ୍ତାରେ ଏବେ ଓଡ଼ିଶା । ବିଶ୍ବ ଶୁଣୁଛି ଓଡ଼ିଶା ସଫଳତାର କାହାଣୀ ।

ଏ ପରିବର୍ତ୍ତନର ପୁରୋଧା ହେଉଛନ୍ତି ବିକାଶ ପୁରୁଷ ନବୀନ । ନବୀନଙ୍କ ଜନ୍ମଦିନରେ ଚାରଆଡୁ ଶୁଭେଛା ଓ ଶୁଭକାମନାର ସୁଅ । ସମସ୍ତେ କହୁଛନ୍ତି ନବୀନ ତୁ ସି ଗ୍ରେଟ ହୋ…. ।