IPL ୨୦୨୨: ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଆଜି ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇର ଡି.ଓ୍ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ପ୍ରସ୍ତୁତ କରିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଚଳିତ ସିଜିନର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସଠାରୁ ପରାଜିତ ହୋଇଥିଲା । କିନ୍ତୁ ପରାଜୟ ପରେ ଦମଦାର କମବ୍ୟାକ୍ କରିଥିଲା ଦଳ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବ୍ୟାକ ଟୁ ବ୍ୟାକ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଲକ୍ଷ୍ନୌ ଦଳରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିକ୍ସ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ଏହା ଲକ୍ଷ୍ନୌକୁ ଅଧିକ ସୁଦୃଢ଼ କରିବ ।

ଯଦି ଦିଲ୍ଲୀ କ୍ୟାପିଟାଲ୍ସ କଥା କହିବା ତା’ହାଲେ ଦିଲ୍ଲୀ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଗୁଜୁରାଟ ଟାଇଟନ୍ସଠାରୁ ପରାଜିତ ହୋଇଥିଲା । ତେବେ ଆଜିର ମ୍ୟାଚରେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଦିଲ୍ଲୀ । ଅନ୍ୟପକ୍ଷରେ ଆଜି ଦିଲ୍ଲୀ ଦଳକୁ ଫେରିବେ ଡେଭିଡ ଓ୍ୱାର୍ଣ୍ଣର ଓ ଅନରିଚ୍ ନର୍କିଆ । ଏହି ଦୁଇ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଅଧିକ ସୁଦୃଢ଼ କରିବ ।