ଲେଖାହେବ ହକି କାହାଣୀର ଆଉ ଏକ ଅଧ୍ୟାୟ, ଆଜି ପୁରୁଷ ବିଶ୍ବକପ ହକି ଉଦଘାଟନୀ ଉତ୍ସବ

କଟକ: ଆଜି କମ୍ପିବ କଟକ, ଦୁଲୁକିବ ବାରବାଟୀ । ଓଡ଼ିଶାରେ ଲେଖାହେବ ହକି କାହାଣୀର ନୂଆ ଅଧ୍ୟାୟ । ଆଜି ପୁରୁଷ ବିଶ୍ବକପ ହକି ୨୦୨୩ର ଉଦଘାଟନୀ ଉତ୍ସବ । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହେବ ହକି ବିଶ୍ବକପ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶ ବିଦେଶର ଅତିଥି ଯୋଗଦେବେ । ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବରେ ସାମିଲ ହେବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ, ମନିଷ ପଲ୍ । ଓଲିଉଡ କଳାକାର ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଉତ୍ସବରେ ସାମିଲ ହେବେ  । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମର ଜଲଓ୍ବା ଦେଖିବ ବିଶ୍ବ ।

ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ବନାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା । ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବନାଇଛନ୍ତି ବିଶ୍ବକପ୍ ଆନ୍ଥେମ୍ । ଏହାକୁ ଗାଇଛନ୍ତି ସୁଖବିନ୍ଦର ସିଂ। ଉତ୍ସବରେ ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ବାନ୍ ଗ୍ରୁପ୍ ମଧ୍ୟ ସାମିଲ ହେବେ । ଉତ୍ସବ ପାଇଁ ନବବଧୂ ପରି ସଜେଇ ହୋଇଛି କଟକ । ରାସ୍ତା ସାରା ସୌନ୍ଦର୍ଯ୍ୟର ପସରା । ବଡ଼ ବଡ଼ ହୋଡିଂ ସହିତ କଲରଫୁଲ ବ୍ୟାନର । ଷ୍ଡାଡିୟମ ରାସ୍ତାର ଗୌରବ ବଢାଉଛି ବ୍ରୋଞ୍ଜ ମୂର୍ତ୍ତି । ବିଭିନ୍ନ ଛକରେ ଓ୍ବାର୍ଲ୍ଡକପ ଟ୍ରଫିକୁ ସ୍ବାଗତ ପାଇଁ ଅପେକ୍ଷା କରିଛି ତୋରଣ ।