ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ : ତିରୁପତି ଲଡୁରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି । କିଛି ଦିନ ସାରା ଦେଶରେ ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିବାବେଳେ ମାମଲା ପହଞ୍ଚିଥିଲା ସର୍ବୋଚ୍ଚ ଅଦାଲତରେ । ଗୋଚର୍ବି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଓ ତିରୁମାଲା ତିରୁପତି ଦେବସ୍ଥାନମ୍ସ ବା ଟିଟିଡିର ପୂର୍ବତନ ଅଧ୍ଯକ୍ଷ ତଥା ଓ୍ବାଇଏସଆର କଂଗ୍ରେସ ରାଜ୍ଯସଭା ସାଂସଦ ଓ୍ବାଇଭି ସୁବା ରେଡ୍ଡୀ ।

ପବିତ୍ର ଲଡୁରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶିଥିବା ନେଇ ରିପୋର୍ଟ ଆସିବା ପରେ ତତକାଳୀନ ଓ୍ବାଇଏସଆର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ଏହି ଘଟଣାରେ କୋର୍ଟ ନେତୃତ୍ବାଧୀନ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଦୁଇ ଆବେଦନାକାରୀ । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ.ଭି. ବିଶ୍ବନାଥନ ଏହି ମାମଲାର ଶୁଣାଣି କରିବେ । ନିଜ ପିଟିସନରେ ସୁବ୍ରଣ୍ୟମ ଦାବି କରିଛନ୍ତି ଯେ, ଲଡୁ ପ୍ରସ୍ତୁତ ଲାଗି ବ୍ଯବହୃତ ଘିଅ ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ ଲାଗି ମୁଖ୍ଯମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ସବିଶେଷ ଫରେନସିକ ରିପୋର୍ଟ ତଲବ କରାଯାଉ ।

ସେହିପରି ସୁବା ରେଡ୍ଡୀ ଦାବି କରିଛନ୍ତି, ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏସଆଇଟି ଜରିଆରେ ଅପମିଶ୍ରଣ ଘଟଣାର ତଦନ୍ତ ହେଉ । ଗତ ୨୮ ତାରିଖ ଶନିବାର ତିରୁପତି ମନ୍ଦିର ଗସ୍ତ ଲାଗି ଯୋଜନା କରିଥିବାବେଳେ ତାଙ୍କୁ ଅନୁମତି ଦିଆଯାଇ ନଥିଲା ବୋଲି ଅଭିଯୋଗ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।