ଓଡ଼ିଶାରେ ଦୁର୍ନୀତି କମ୍, କେଉଁ ରାଜ୍ୟରେ ଅଧିକ ପଢ଼ନ୍ତୁ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଦୁର୍ନୀତି ବଢ଼ୁଛି ବୋଲି ଡିଣ୍ଡିମ ପିଟୁଥିବା ଲୋକଙ୍କ ମୁହଁରେ ଶକ୍ତ ଚାପୁଡ଼ା ବାଜିଛି । ଟ୍ରାନ୍ସପରେନ୍ସି ଇଣ୍ଟରନାସନାଲ ଇଣ୍ଡିଆ ପକ୍ଷରୁ ବିଭିନ୍ନ ରାଜ୍ୟରେ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ, ଓଡ଼ିଶାରେ ଦୁର୍ନୀତି ବହୁତ କମ୍‌ ।

କିନ୍ତୁ ରିପୋର୍ଟକୁ ଅନୁଶୀଳନ କଲେ ଯାହା ଜଣାପଡ଼ୁଛି, ବିଜେପି ଶାସିତ ରାଜ୍ୟରେ ଓଡ଼ିଶାଠାରୁ ଅଧିକ ଦୁର୍ନୀତି ହେଉଛି । ଦଳ ଭ୍ରଷ୍ଟାଚାର ବିରୋଧୀ ବୋଲି କହୁଥିବା ବେଳେ ବିଜେପି ଶାସିତ ରାଜ୍ୟରେ ଅଧିକ ଦୁର୍ନୀତି ଦଳର ମୁହଁକୁ କଳା କରିଛି ।  ଉତ୍ତରପ୍ରଦେଶ ଆଉ ଝାଡ଼ଖଣ୍ଡ, ବିହାରରେ ବିଜେପି ଶାସନ ଥାଇ ମଧ୍ୟ ଦୁର୍ନୀତି ଅଧିକ ରହିଛି । ତାମିଲନାଡୁ, ରାଜସ୍ଥାନ, ପଞ୍ଜାବ, ତେଲେଙ୍ଗାନା ଅବସ୍ଥା ମଧ୍ୟ ତଦ୍ରୁପ। ଏହି ସବୁ ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକେ ବିଭିନ୍ନ କାମ ପାଇଁ ଅଫିସର ବା ଉପରିସ୍ଥ ଅଧିକାରୀଙ୍କୁ ଲାଞ୍ଚ ଦିଅନ୍ତି । ସେହିପରି ୫୦ରୁ ୫୯ ପ୍ରତିଶତ ଲୋକ ଲାଞ୍ଚ ଦେଉଥିବା ରାଜ୍ୟ ହେଉଛନ୍ତି ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ।

୪୯ ପ୍ରତିଶତ ବା କମ୍ ଲାଞ୍ଚ କାରବାର ହେଉଥିବା ରାଜ୍ୟ ମଧ୍ୟରେ ରହିଛନ୍ତି ଓଡ଼ିଶା, ପଶ୍ଚିମବଂଗ, ଦିଲ୍ଲୀ, ହରିଆଣା, ଗୁଜରାଟ, ଗୋଆ ଆଉ କେରଳ । ବିଜେପି ଶାସିତ ରାଜ୍ୟ ଭିତରେ କେବଳ ହରିଆଣାରେ ଦୁର୍ନୀତି କମ୍ ରହିଛି । ଓଡ଼ିଶାରେ ମୋ ସରକାର ଲାଗୁ ହୋଇଥିବାରୁ ଆଗାମୀ ଦିନରେ ଦୁର୍ନୀତି ଆହୁରି କମିବ ବୋଲି ଆଶା କରାଯାଉଛି ।

ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷକ ମଧ୍ୟରେ ଭାରତରେ ଦୁର୍ନୀତି ୧୦ ପ୍ରତିଶତ କମିଛି । ସାଂଘାତିକ କଥା ହେଉଛି, ୫୧ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ, ଗତ ବର୍ଷକ ମଧ୍ୟରେ ବିଭିନ୍ନ କାମ ପାଇଁ ତାଙ୍କୁ ଲାଞ୍ଚ ଦେବାକୁ ପଡ଼ିଛି । ଦେଶର ୨୪୮ ଜିଲ୍ଲାରେ ୧ ଲକ୍ଷ ୯୦ ହଜାର ଲୋକଙ୍କ ମତାମତକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଯାହା ତଥ୍ୟ ମିଳିଛି ଜମିବାଡ଼ି ମାମଲା, ସଂପତ୍ତି ପଞ୍ଜୀକରଣ, ପୁଲିସ, ପୌରାଞ୍ଚଳରେ ଦୁର୍ନୀତି ଅଧିକ ହେଉଛି । ଆଉ ଏକ ସାଂଘାତିକ କଥା ହେଉଛି, ୩୮ ପ୍ରତିଶତ ଲୋକ ଭାବୁଛନ୍ତି କାମ ହେଇଯିବା ପାଇଁ ଲାଞ୍ଚ ହିଁ ଏକ ମାତ୍ର ମାଧ୍ୟମ  । ତେଣୁ ସେମାନେ ଲାଞ୍ଚ ଦିଅନ୍ତି । ୧୬ ପ୍ରତିଶତ ଲୋକଙ୍କ ମତରେ ସିସିଟିଭି ଲାଗିଥିବା ଅଫିସରେ ବି ଦୁର୍ନୀତି ହେଉଛି । ଲାଞ୍ଚ କାରବାରରେ ନଗଦ ଟଙ୍କା ହିଁ କାରବାର ହେଉଥିବା ରିପୋର୍ଟରେ କୁହାଯାଇଛି ।

Leave a Reply