ବିଶ୍ବକପ୍ କ୍ରିକେଟ-୨୦୨୩ ପାଇଁ ଟିକେଟ ବୁକିଂ ଆରମ୍ଭ

1 min read

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ମହାକୁମ୍ଭ ।  ନଭେମ୍ବର ୧୯ ତାରିଖରେ ଫାଇନାଲ ମୁକାବିଲା  । ନୂଆ କାର୍ଯ୍ୟସୂଚୀରେ ୯ଟି ମ୍ୟାଚର ତାରିଖ ଅଦଳବଦଳ ହୋଇଥିବା ବେଳେ ଟିକେଟ ପାଇଁ ମଧ୍ୟ ଘୋଷଣା ହୋଇଛି । ବିଶ୍ୱକପ ଟିକେଟ ପାଇଁ ସର୍ବପ୍ରଥମେ କ୍ରିକେଟପ୍ରେମୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ । ଆଉ ଏହାପରେ ହିଁ ଜଣେ ଦର୍ଶକ ଟିକେଟ କିଣିପାରିବ । ଟିକେଟ ପାଇଁ ଆଜି ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି, ପଞ୍ଜୀକରଣ ବେଳେ ନାମ, ଠିକଣା ଓ କେଉଁ ଦେଶର ନାଗରିକ ତାହାର ତଥ୍ୟ ଦେବାକୁ ପଡିବ । ରେଜିଷ୍ଟ୍ରେସନ ପରେ ଟିକେଟ ବୁକିଂ ପାଇଁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ୨୫ ଅଗଷ୍ଟରୁ ପର୍ଯ୍ୟାୟକ୍ରମେ ବିଶ୍ୱକପ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ହେବ । ଭାରତୀୟ ଟିମର ମ୍ୟାଚକୁ ଛାଡି ଅନ୍ୟ ମ୍ୟାଚର ଟିକେଟ ଓ ଅଭ୍ୟାସ ମ୍ୟାଚ୍ ପାଇଁ ଟିକେଟ ଅଗଷ୍ଟ ୨୫ରୁ ଉପଲବ୍ଧ ହେବ । ସେହିଭଳି ଟିମ୍ ଇଣ୍ଡିଆର ମ୍ୟାଚ୍ ଓ ଅଭ୍ୟାସ ମ୍ୟାଚର ଟିକେଟ ୩୦ ଅଗଷ୍ଟରୁ ୩ ସେପ୍ଟେମ୍ବର ମଧ୍ୟରେ ଉପଲବ୍ଧ ହେବ । ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସେପ୍ଟେମ୍ବର ୩ ତାରିଖରେ ମିଳିବ । ସେହିଭଳି ସେମିଫାଇନାଲ ଓ ଫାଇନାଲ ମୁକାବିଲାର ଟିକେଟ ୧୫ ସେପ୍ଟେମ୍ବରରେ କିଣିପାରିବେ ଦର୍ଶକ । ଟିକେଟ ବୁକ୍ କରିବା ପରେ କାଉଣ୍ଟରରୁ ଟିକେଟ ନେଲେ ହିଁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିବ ।

ବିସିସିଆଇ ବୁକ୍ ମାଇଁ ସୋ’କୁ ନିଜର ଟିକେଟ ପାର୍ଟନର କରିଛି । ଭାରତର ମ୍ୟାଚ୍ ପାଇଁ ୫ଟି ପର୍ଯ୍ୟାୟରେ ଟିକେଟ ବିକ୍ରି ହେବ । ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ୩୧ ଅଗଷ୍ଟରେ ଟିକେଟ ଉପଲବ୍ଧ ହେବ । ସେହିଭଳି ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ୧ ସେପ୍ଟେମ୍ବରରେ ଟିକେଟ ମିଳିବ । ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ମ୍ୟାଚ୍ ପାଇଁ ୨ ସେପ୍ଟେମ୍ବରରେ ଟିକେଟ ଉପଲବ୍ଧ ହେବାକୁ ଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସେପ୍ଟେମ୍ବର ୩ରେ ଟିକେଟ ମିଳିବ ।