୩ ବର୍ଷ ତଳର ସେହି ୮ତାରିଖ… କିଏ କେମିତି ଭୁଲିଯିବ ?

1 min read

ଭୁବନେଶ୍ବର: ୨୦୧୬ ନଭେମ୍ବର ୮ । ଆଜିକୁ ଠିକ୍‌ ତିନି ବର୍ଷ ତଳର କଥା । ଦେଶର ଇତିହାସରେ ଲିପିବଦ୍ଧ ଥିବା ଏହି ତାରିଖକୁ କେହି କେବେ ବି ଭୁଲି ପାରିବେନି । ବ୍ୟବସ୍ଥାର ସର୍ବନିମ୍ନ ସ୍ତରରେ ଥିବା ଲୋକଙ୍କଠାରୁ ଆରମ୍ଭ କରି ଆଲିଶାନ ବଙ୍ଗଳାର ମାଲିକ, ସମସ୍ତେ ସବୁ ଦିନ ପାଇଁ ମନେ ରଖିବେ ନଭେମ୍ବର ୮ ତାରିଖକୁ । କାହିଁକିନା, ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏମିତି ଏକ ଘୋଷଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଦୌଡ଼ୁଥିବା ଦେଶ ଏହି ଘୋଷଣା ଶୁଣି ହଠାତ୍‌ ସ୍ଥିର ହୋଇଯାଇଥିଲା। କେହି କଳ୍ପନା ବି କରିନଥିଲେ ଦେଶବାସୀଙ୍କୁ ଏମିତି ଏକ ଝଟ୍‌କା ଦେବେ ପ୍ରଧାନମନ୍ତ୍ରୀ ।

କଳାଧନ ବିରୋଧରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌ ଥିଲା। ଗୋଟିଏ କ୍ଷଣରେ ଅଚଳ ହୋଇଗଲା ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍‌ । ସବୁକିଛି ଥିଲା ହଠାତ୍‌ ଓ ସରପ୍ରାଇଜ୍‌ । କେନ୍ଦ୍ର ସରକାରଙ୍କ ଏ ଘୋଷଣା ବାବଦରେ ପୂର୍ବରୁ କେହି କିଛି ଟେର୍‌ ବି ପାଇନଥିଲେ । ଚାହୁଁ ଚାହୁଁ ବିଜୁଳି ବେଗରେ ସାରା ଦେଶକୁ ବ୍ୟାପିଗଲା ଖବର । ବିନା ଟେନ୍‌ସନ୍‌ରେ ବୁଲୁଥିବା ଲୋକଙ୍କ ଆଖିରୁ ନିଦ ହଜିଗଲା । କାହା ପାଖରେ ପାଞ୍ଚ ଶହ ହଜାରେ ବ୍ୟତୀତ ଅଲଗା ନୋଟ୍‌ ଥିଲା, ତ କାହା ପାଖରେ ନାହିଁ ।

କେମିତି ଚଳିବେ ଲୋକ ? ଏଟିମ୍‌ ସେବା ବି ଠପ୍‌ ? କେଉଁଠି ବି ଅଲଗା ପ୍ରକାର ନୋଟ୍‌ ନାହିଁ । ତାର ଦୁଇଦିନ ପରେ ବ୍ୟାଙ୍କ ଖୋଲିବାମାତ୍ରେ ପ୍ରତି ବ୍ରାଞ୍ଚ ସାମ୍ନାରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଧାଡ଼ି । ନୋଟ୍‌ ବଦଳାଇବା ପାଇଁ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଗଲା । କିଛି ଯାଗାରେ ଲୋକେ ଏତେ ସମୟ ଧାଡ଼ିରେ ଠିଆନହୋଇ ଇଟା ପଥର ଥୋଇ ନିଜ ପାଳିକୁ ଅପେକ୍ଷା କଲେ । ଜନ୍ମନେଲା ନୂଆ ପାଞ୍ଚଶହ ଓ ଦୁଇ ହଜାର ଟଙ୍କିଆ ନୋଟ୍‌ । ପୁରୁଣା ନୋଟ୍‌କୁ ବଦଳାଇ ନୂଆ ନୋଟ୍ ଆଣିବା ପରେ ଲୋକଙ୍କ ଖୁସି ଥିଲା କାହିଁରେ କଣ । କିନ୍ତୁ ସରକାର କିଛି ଦିନ ପାଇଁ ହସ୍ପିଟାଲ ଓ ପେଟ୍ରୋଲ ପମ୍ପରେ ପୁରୁଣା ଟଙ୍କା ଚଳିବା ପାଇଁ ରିହାତି ଦେଇଥିଲେ । କିନ୍ତୁ ସମସ୍ତେ ପାଞ୍ଚ ଶହ  ଓ ହଜାର ଟଙ୍କିଆ ଦେଲେ କିଏ କୁଆଡ଼ୁ ଆଣିବ ଏତେ ଖୁଚୁରା ? ମାର୍କେଟରେ ଏତେ ପରିମାଣର ଅନ୍ୟ ନୋଟ୍‌ ବି ନଥିଲା । ଖାଲି ବଡ଼ ବଡ଼ ନୋଟ୍‌ ରଖିଥିଲେ ଲୋକେ । ତା ପରେ, ବ୍ୟାଙ୍କରୁ ଟଙ୍କା ବଦଳ ପରେ ପାଇଥିବା ୨ହଜାର ଟଙ୍କିଆ ନୋଟ୍‌ ବି ସମସ୍ୟାର ପିଛା ଛାଡ଼ିଲାନି ।

ସମସ୍ତେ ବଡ଼ ନୋଟ୍‌ ଧରି ବୁଲିଲେ, କିଏ କେମିତି ଭଙ୍ଗେଇବ ? ୨ହଜାର ଟଙ୍କିଆ ନୋଟ୍ ଯେମିତି ଲୋକଙ୍କ ସମସ୍ୟାକୁ ଆହୁରୀ ବଢ଼େଇଲା ଭଳି ଲାଗିଲା । ମାର୍କେଟରେ ଟଙ୍କା ନାହିଁ । ଏଟିଏମ୍‌ ବି ଠିକ୍‌ ଭାବେ କାମ କଲାନି । ସହରର ଯେଉଁ କିଛି ଏଟିଏମ୍‌ରେ ଟଙ୍କା ଭରା ହେଉଥିଲା ସଙ୍ଗେ ସଙ୍ଗେ ସଫା ହୋଇଗଲା । ପ୍ରାୟ ଏଟିଏମ୍‌ ଆଗରେ ଝୁଲୁଥିଲା କ୍ଲୋଜ୍‌ ପଟି, ଆଉ କାମ ଧନ୍ଦା ଛାଡ଼ି ଏ ଏଟିଏମ୍‌ରୁ ସେ ଏଟିଏମ୍‌ ବୁଲୁଥିଲେ ଲୋକ । ଦେଶର ବିରୋଧୀ ରାଜନୈତିକ ଦଳ ସରକାରଙ୍କ ଏହି ନିଷ୍ପତ୍ତିକୁ କଠୋର ସମାଲୋଚନା କରିଥିଲେ । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ବିରୋଧୀ ଶକ୍ତିକୁ ଅଟାକାଇବା ପାଇଁ ଏହା ସରକାରଙ୍କ ଏକ ଷଢ଼ଯନ୍ତ୍ର ଥିଲା ବୋଲି ଅନେକ ଅଭିଯୋଗ କଲେ ।

ତା ଭିତରେ ପ୍ରତ୍ୟେକ ଦିନ ବଦଳୁଥିଲା ବ୍ୟାଙ୍କ ନିୟମ । ଯାହା ଆଜି ଯାଏ ବି ଜାରି ରହିଛି । ଏ ଭିତରେ ତିନି ବର୍ଷ ବିତିଯାଇଛି । ଦଶ ଟଙ୍କାରୁ ଶହେ ଟଙ୍କା ଯାଏଁ ଅନେକ ନୂଆ ନୋଟ୍‌ ବି ଆସି ସାରିଛି । ବଡ଼ ନୋଟ୍‌ ଯୋଗୁଁ ଅଧିକ ଧନ ଠୁଳ କରିବାରେ ଭ୍ରଷ୍ଟାଚାରୀଙ୍କୁ ସୁବିଧା ହେବାରୁ ପୁଣି ସରକାର ଚିନ୍ତା କଲେଣି ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ କରିବେ ବୋଲି । ପ୍ରତିଦିନ ନୂଆ ନୂଆ ନିୟମକୁ ନେଇ ଲୋକ ବି ପ୍ରଶ୍ନ କଲେଣି । ମତ ବି ଦୁଇ ଭାଗ ହୋଇଯାଇଛି । କିନ୍ତୁ ଏ ଝଟକାରୁ ଆଜି ବି ଲୋକେ କଣ ପାଇଲେ ଓ ସରକାରଙ୍କୁ କଣ ମିଳିଲା ତାହା ବିତର୍କିତ ହୋଇ ରହିଛି ।

କଣ କହିଥିଲେ ସରକାର ?

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌
କମିବ ଭ୍ରଷ୍ଟାଚାର, ଦୁର୍ନୀତି
ଟେରର୍ ଫଣ୍ଡିଂ ବନ୍ଦ ହେବ
ଅକାମୀ ହେବ ନକଲି ନୋଟ୍‌
ଡିଜିଟାଲ ନେଣଦେଣ ବଢ଼ିବ

ବିମୁଦ୍ରାକରଣ ପରେ ହେଲା କଣ ? 

ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଆସିଲା ୯୯ ପ୍ରତିଶତ ଟଙ୍କା
ଉଦ୍ଦେଶ୍ୟ ଫଳପ୍ରଦ ନହେବା ଅଭିଯୋଗ
୨୦୧୮-୧୯ରେ ବଢ଼ିଛି ନକଲି ୫ଶହ ଟଙ୍କାର କାରବାର
୨ ହଜାର ଟଙ୍କିଆ ନୋଟ୍‌ର ଛପା ବନ୍ଦ ନେଇ ଚର୍ଚ୍ଚା
ଆତଙ୍କବାଦୀ କାର୍ଯ୍ୟକଳାପ କମି ନଥିବା ଅଭିଯୋଗ
କାମ ହରାଇଲେ ଲୋକେ, ସର୍ବନିମ୍ନ ସ୍ତରରେ ବେକାରୀ ହାର
ଆର୍ଥିକ ମାନ୍ଦାବସ୍ଥା ପାଇଁ ବିମୁଦ୍ରାକରଣକୁ ଦାୟୀ କଲେ ଅର୍ଥନୀତିଜ୍ଞ
ଡିଜିଟାଲ କାରବାର ପ୍ରଥମେ ବଢ଼ିଥିଲା, ପୁଣି କମିଛି
ଭ୍ରଷ୍ଟାଚାର କମିନଥିବା ଅଭିଯୋଗ ')}

Leave a Reply