ଚାନ୍ଦବାଲିରେ ପୋଲିସର ବର୍ବରତା ଘଟଣା, ବଦଳି ହେଲେ ତିନି ପୋଲିସ କର୍ମଚାରୀ

ଚାନ୍ଦବାଲି: ଚାନ୍ଦବାଲିରେ ପୋଲିସର ବର୍ବରତା ଘଟଣା । ଜିଲ୍ଲା ହେଡକ୍ବାର୍ଟରକୁ ବଦଳି ହେଲେ ତିନି ପୋଲିସ କର୍ମଚାରୀ । ଏଏସଆଇ ନେପାଳ ଶାହା, କନେଷ୍ଟବଳ ରବୀନ୍ଦ୍ର ସେଠୀ  ଏବଂ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି । ଏହି ତିନି ପୋଲିସ କର୍ମଚାରୀଙ୍କ ନାଁରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ ଅଧିକ ତଦନ୍ତ କରାଯାଉଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,ଚାନ୍ଦବାଲି ଥାନା ପରିସରରେ ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଜଣେ ମହିଳାଙ୍କୁ ମାଡ଼ ମାରିଥିଲେ ପୋଲିସ ବାବୁ। ଥାନାକୁ ସ୍ୱାମୀଙ୍କୁ ଭେଟିବାକୁ ଆସି ପୋଲିସଠାରୁ ମାଡ଼ ଖାଇଥିଲେ ମହିଳା । ଚାନ୍ଦବାଲି ଏନଏସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀଙ୍କୁ କୌଣସି ଏକ ଘଟଣାରେ ପୋଲିସ ଥାନାକୁ ଡକାଇଥିଲା । ମିତା ସ୍ୱାମୀଙ୍କୁ ଦେଖାକରିବା ପାଇଁ ଥାନାକୁ ଯାଇଥିଲେ । ସେଠାରେ ତାଙ୍କ ସହ ଥିବା କୁନି ପିଲାଟି ଏକ ଚପଲ ଖୋଳରେ ଖେଳୁଥିବା ବେଳେ ମିତା ସେହି ଖୋଳଟିକୁ ଭୁଲବଶତଃ ଥାନା ପରିସରକୁ ଫିଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା  କନେଷ୍ଟବଳ ରବୀନ୍ଦ୍ର ସେଠୀ ତାଙ୍କୁ ଡଷ୍ଟବିନରେ ପକାଇବାକୁ କହିଥିଲେ । ଏହାକୁ ନେଇ ମିତା ଏବଂ କନେଷ୍ଟବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କନେଷ୍ଟବଳ ରବୀନ୍ଦ୍ର ସେଠୀ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ସହିତ ଏଏସଆଇ ନେପାଳ ସାହା ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ମହିଳାଙ୍କୁ ମାଡ଼ ମାରିବା ସହ ଟେକି ଟେକି ନେଉଥିବାର  ଭିଡିଓ ଭାଇରାଲ ହୋଇଥିଲା ।