ବିଜେଡିରେ ମିଶିଲେ ଜଟଣୀର ୩ କାଉନସିଲର ଓ ବିଏମସିର ଜଣେ ସ୍ୱାଧୀନ କର୍ପୋରେଟର

ଭୁବନେଶ୍ୱର: ବଢ଼ିଲା ବିଜେଡି ବଳ । ବିଜେଡିରେ ମିଶିଲେ ଜଟଣୀ ପୌର ପରିଷଦର ୩ ଜଣ ନବ ନିର୍ବାଚିତ ସ୍ୱାଧୀନ କାଉନସିଲର । ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ଜଟଣୀ ୧୨ ନମ୍ବର ୱାର୍ଡର କାଉନସିଲର ନୀଳିମା ସ୍ୱାଇଁ, ୬ ନମ୍ବର ୱାର୍ଡର କାଉନସିଲର ବିଷ୍ଣୁ ସାହୁ ଓ ୪ ନମ୍ବର ୱାର୍ଡ କାଉନସିଲର ଫେମିନା ବେଗମ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା ସେମାନେ କହିଛନ୍ତି । ମିଶ୍ରଣ ପର୍ବରେ ବିଜେଡି ସାଂସଦ ମୁନ୍ନା ଖାଁ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଆଜି ବିଜେଡିର ଆଉ ଏକ ମିଶ୍ରଣ ପର୍ବରେ ମିଶିଛନ୍ତି ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ସେ ବିଜେଡି ଟିକେଟ ନ ପାଇବାରୁ ୬୦ ନମ୍ବର ୱାର୍ଡରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରି ନଥିଲା । ବର୍ତ୍ତମାନ ଭୁବନେଶ୍ୱର ବିଜେଡିର ଉପସଭାପତି ଅଛନ୍ତି ଚନ୍ଦ୍ରଶେଖର ମଲିଆ ।