ଶରଧାବାଲିରେ ଲାଗିଲା ତିନି ରଥ, ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଭକ୍ତ କୃତାର୍ଥ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗି ଯାଇଛନ୍ତି ତିନିରଥ । ଆଜି ନୀତିନିର୍ଘଣ୍ଟର ଢେର୍‌ ପୂର୍ବରୁ ସବୁନୀତି ସଅଳ ଚାଲିଥିଲା । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି, ପହଣ୍ଡି ବିଜେ, ଛେରାପହଁରା ଓ ରଥଟଣା, ସବୁ କିଛି ଚାଲିଥିଲା ସଅଳ । ଦୁଇବର୍ଷ ପରେ ବଡ଼ଦାଣ୍ଡରେ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓ ରଥଟାଣିବାର ସୁଯୋଗ ପାଇଛନ୍ତି ଭକ୍ତ ।

ଚାତକଚକ୍ଷୁରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚାହିଁ ରହିଥିଲେ ଭକ୍ତ । ବଡ଼ଦାଣ୍ଡକୁ କେତେବେଳେ ଆସିବେ ବିଶ୍ବନିୟନ୍ତା? କରୋନା ପାଇଁ ଦୁଇବର୍ଷ ଧରି ରଥଯାତ୍ରାରେ ବଡ଼ଦାଣ୍ଡକୁ ଯାଇ ନପାରି ଝୁରୁଥିଲା ମନ । ଭକ୍ତଙ୍କୁ ଭେଟିବାକୁ ଭଗବାନ ବି ଯେମିତିଥିଲେ ବ୍ୟଗ୍ର । ଶ୍ରୀମନ୍ଦିରରେ ସଅଳ ସମ୍ପନ୍ନ ହୋଇଥିଲା ସବୁ ନୀତିକାନ୍ତି । ଯେତେବେଳେ ପହଣ୍ଡି ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ ହୋଇଥିଲା, ସେତେବେଳକୁ ପହଣ୍ଡି ଶେଷ ହୋଇଥିଲା । ଧାଡ଼ି ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଭାବବିହ୍ବଳ ହୋଇଉଠିଥିଲେ ଭକ୍ତ । ହରିବୋଲ ହୁଳହୁଳି ଧ୍ବନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ ।

ଶ୍ରୀସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିବା ପରେ ବଡ଼ଭାଇ ବଳଭଦ୍ର ତାଳଧ୍ବଜ, ଦେବୀ ସୁଭଦ୍ରା ଦର୍ପଦଳନ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ । ତା’ପରେ ରଥ ଉପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତିନିରଥକୁ ଯାଇ ଦର୍ଶନ କରିଥିଲେ । ପରେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ବଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଗଜପତି ଛେରାପହଁରା କରିଥିଲେ । …

ଶେଷରେ ଆରମ୍ଭ ହୋଇଥିଲା ରଥଟଣା ପ୍ରସ୍ତୁତି । ଚାରମାଳ ଫିଟା ଓ ଘୋଡ଼ା ଯୋଚା ପରେ ଆରମ୍ଭ ହୋଇଥିଲା ରଥଟଣା । ଆଗେ ଆଗେ ତାଳଧ୍ବଜ, ପରେ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁମନ୍ତ୍ରୀ ରଥ ଟାଣିଥିଲେ । ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।